ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ମାସ ୧୯ ତାରିଖରେ ଖୋଲିବ ବିଦ୍ୟାଳୟ । ପୂର୍ବରୁ ଏହି ତାରିଖ ଘେଶଷଣା କରାଯାଇଥିଲା । ତେବେ ବାତ୍ୟା ପାଇଁ ଖୋର୍ଦ୍ଧା,ପୁର,କେନ୍ଦ୍ରାପଡା,କଟକ ଏବଂ ଜଗତସିଂହପୁରର ବହୁ ସ୍କୁଲର କ୍ଷତି ହୋଇଛି । ଏଣୁ ଏଠାରେ ବିଳମ୍ବରେ ଖୋଲିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଗଣଶିକ୍ଷା ମନ୍ତ୍ରୀ ଆଦେଶ ଦେଇଛନ୍ତି ପୂର୍ବରୁ ଘୋଷଣା କରାଯାଇଥିବା ତାରିଖରେ ହିଁ ଖୋଲିବ ବିଦ୍ୟାଳୟ ।
ବାତ୍ୟାରେ ରାଜ୍ୟର ୬ ହଜାରରୁ ଅଧିକ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି । କେତେକ ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବରେ ମାଟିରେ ମିଶି ଯାଇଛି । ପୁରୀ ଜିଲ୍ଲାର ୧୩୭ଟି ବିଦ୍ୟାଳୟ ନଷ୍ଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ୬ଟି ସ୍କୁଲ ମାଟିରେ ମିଶିଯାଇଛି । ତେବେ ଯେଉଁ ସବୁ ବିଦ୍ୟାଳୟ ନଷ୍ଟ ହୋଇଛି ସେହି ସ୍କୁଲର ଛାତ୍ର ଛାତ୍ରୀମାନେ ନିକଟସ୍ଥ ସ୍କୁଲରେ ଯାଇ ପାଠ ପଢ଼ିବେ । ତେବେ ଯଦି ସେଠାରେ ଅଧିକ ପିଲା ହୁଅନ୍ତି ତେବେ ଦୁଇଟି ସିପ୍ଟରେ ପାଠ ପଢ଼ାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ଯଦି ଦୁଇଟି ବିଦ୍ୟାଳୟର ପିଲା ବସିବା ଲାଗି ପର୍ୟ୍ୟାପ୍ତ ଶ୍ରେଣୀଗୃହ ନଥିବ ତେବେ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳୀରେ ପିଲାଙ୍କ କ୍ଲାସ କରିବାକୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। କେଉଁ ବିଦ୍ୟାଳୟର ମରାମତି କେଉଁ ବିଭାଗ କରିବ ତାହା ବି ସ୍ଥିର ହୋଇଛି। ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ମରାମତି ସରପଞ୍ଚମାନଙ୍କ ଦ୍ବାରା କରାଯିବ। ସମସ୍ତ ସରପଞ୍ଚ ଏଦିଗରେ ସହଯୋଗ କରିବାକୁ କୁହାଯାଇଛି। ଯଦି କୌଣସି ସରପଞ୍ଚ ସହଯୋଗ ନ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ। ଗ୍ରାମାଞ୍ଚଳରେ ଥିବା ହାଇସ୍କୁଲଗୁଡ଼ିକର ମରାମତି ଗ୍ରାମ ଉନ୍ନୟନ ବିଭାଗ କରିବ।
ସେହିପରି ସହରାଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ମରାମତି ଗୃହ ଓ ନଗର ଉନ୍ନୟନ ବିଭାଗ, ହାଇସ୍କୁଲଗୁଡ଼ିକର ମରାମତି ପିଡବ୍ଲ୍ୟୁଡି କରିବ ବୋଲି ସ୍ଥିର ହୋଇଛି। ବିଦ୍ୟାଳୟଗୁଡ଼ିକର ମରାମତି ଲାଗି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜୁଲାଇ ସୁଦ୍ଧା ସମସ୍ତ ସ୍କୁଲ ମରାମତି ସାରିବାକୁ ଉନ୍ନୟନ କିମସନର ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।