ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚାରିଜଣ ରାଜ୍ୟସଭା ସାଂସଦ ଇସ୍ତଫା ଦେବା ପରେ ବିଜେଡି କାହାକୁ ଭରଷା କରି ଟିକେଟ ଦେବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଲମ୍ବାଧାଡିରେ ରହିଛନ୍ତି ଗଣ୍ଡା ଗଣ୍ଡା ନେତା । ତେବେ କିଏ ହେବ ନବୀନଙ୍କ ପ୍ରିୟ? କାହା ଉପରେ କରିବେ ଭରଷା? ଉାଳ ମାଳ ନେତାଙ୍କ ମଧ୍ୟରୁ କାହାକୁ ପଠାଇବେ ତାକୁ ନେଇ ଏବେ ପାନ ଦୋକାନରୁ ଅଫିସ ସବୁଠି ଆରମ୍ଭ ହୋଇଛି ବିଭିନ୍ନ ଚର୍ଚ୍ଚା ।
ରାଜ୍ୟସଭା ଯିବା ପାଇଁ ମନ ବଳାଇ ବସିଛନ୍ତି ବହୁ ହେବିୱେଟ ନେତା । ତେବେ ନବୀନ ରାଜ୍ୟସଭାକୁ ଦୁଇଜଣଙ୍କୁ ପଠାଇବେ ବୋଲି ପୂର୍ବରୁ ପ୍ରତିଶୃତି ଦେଇଛନ୍ତି । ଭୁବନେଶ୍ୱର ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ ଏବଂ ଗଞ୍ଜାମ ଜିଲ୍ଲାର ଟାଣୁଆଁ ନେତା ରମେଶ ଚନ୍ଦ୍ର ଚ୍ୟାଉଁ ପଟ୍ଟନାୟକ । ଏହି ଦୁଇ ବରିଷ୍ଟ ନେତା ରାଜ୍ୟସଭା ଆଶାରେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନକରି ଶାନ୍ତ ମଧ୍ୟ ରହିଥିଲେ । ତେବେ ନବୀନ କଣ ପ୍ରତିଶୃତି ରଖିବେ? ଏଭଳି ପ୍ରଶ୍ନ ମଧ୍ୟ ଜନ ସାଧାରଣ ଉଠାଉଛନ୍ତି ।
ଏହି ଦୁଇ ନେତାଙ୍କୁ ଛାଡିଦେଲେ ରାଜ୍ୟସଭା ରେସରେ ରହିଛନ୍ତି ବାଲେଶ୍ୱର ବିଜେଡି ପ୍ରାର୍ଥୀ ହୋଇ ହାରିଥିବା ରବିନ୍ଦ୍ର ଜେନା । ପ୍ରତାପ ଜେନାଙ୍କ ଠାରୁ ହାରିବା ପରେ ଏବେ ରାଜ୍ୟସଭା ଯିବା ପାଇଁ ମନ ବଳାଇଥିବା ଚର୍ଚ୍ଚା ହେଉଛି । ବ୍ରହ୍ମଗିରି ହେବିୱେଟ ନେତା ସଞ୍ଜୟ ଦାଶବର୍ମା ମଧ୍ୟ ରାଜ୍ୟସଭା ଯିବା ପାଇଁ ପାୱାର କରିଡରରେ ଲବି କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଏମାନଙ୍କ ବ୍ୟତିତ ଭୁବନେଶ୍ୱର ଲୋକସଭା ଆସନରେ ହାରିଥିବା ଅରୁପ ପଟ୍ଟନାୟକ ମଧ୍ୟ ଲିଷ୍ଟରେ ରହିଛନ୍ତି । ଢ଼େଙ୍କାନାଳ ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ନାମ ମଧ୍ୟ ରାଜ୍ୟସଭା ଲିଷ୍ଟରେ ଯୋଡି ହୋଇଥିବା ଶୁଣିବାକୁ ମିଳିଛି ।
ବିଜେଡି ଆଇଟି ସେଲର ମୁଖ୍ୟ ଅମର ପଟ୍ଟନାୟକଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । ଏମାନଙ୍କ ବ୍ୟତିତ ଯାଜପୁର ଜିଲ୍ଲାର ବରିଷ୍ଟ ନେତା ପ୍ରଫୁଲ୍ଲ ଘଡାଇଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । ନିର୍ବାଚନ ପୂର୍ବରୁ ବିଜେଡି ତାଙ୍କୁ ପୁଣିଥରେ ଦଳରେ ସାମିଲ କରିଥିଲା । ସୂଚନାଯୋଗ୍ୟ, ଅନୁଭବ ମହାନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏମାନେ ରାଜ୍ୟ ନିର୍ବାଚନରେ ଜିତିବା ପରେ ବାଧ୍ୟ ହୋଇ ଛାଡିଛନ୍ତି ।