ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ବାକିଥିବା ଦୁଇଟି ବିଧାନସଭା ଆସନରେ କେବେ ହେବ ଉପନିର୍ବାଚନ? ୨୦୧୯ ସାଧାରଣ ନିର୍ବାଚନରେ ବେଳେ ପାଟକୁରା ବିଧାନସଭା ଆସନ ପାଇଁ ମତଦାନ ହୋଇନଥିଲା । ଅପରପକ୍ଷରେ ବିଜେପୁର ଆସନରେ ବିଜୟୀ ହୋଇଥିଲେ ବିଜେଡି ସୁପ୍ରିମୋ । ତେବେ ଦୁଇଟି ଆସନରେ ବିଜୟୀ ହୋଇଥିବାରୁ ବିଜେପୁରକୁ ଛାଡିଥିଲେ ନବୀନ । ଏଣୁ ଏଠାରେ ପୁଣିଥରେ ନିର୍ବାଚନ ହେବ । କିନ୍ତୁ କେବେ ଏଠାରେ ନିର୍ବାଚନ ହେବ ତାକୁ ନେଇ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନ ।
ଚଳିତ ବର୍ଷ ପାଟକୁରାରୁ ବିଜେଡି ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ନିର୍ବାଚନ ପୂର୍ବରୁ ପରଲୋକ ହୋଇଥିଲା । ଏଣୁ ଏଠାରେ ନିର୍ବାଚନ ତାରିଖକୁ ଘୁଞ୍ଚାଯାଇଥିଲା । ବିଜେଡି ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରିଥିଲା । ପରବର୍ତ୍ତୀ ସମୟରେ ଘୋଷଣା ହୋଇଥିବା ତାରିଖ ପୂର୍ବରୁ ବାତ୍ୟା କାରଣରୁ ଏଠାରେ ପୁଣିଥିରେ ନିର୍ବାଚନ ତାରିଖକୁ ବାତିଲ କରାଯାଇଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଏଠାରେ କେବେ ନିର୍ବାଚନ ହେବ ତାହା ସ୍ପଷ୍ଠ ହୋଇନାହିଁ । ଦିନ ବିତିବା ସହିତ ଧିରେ ଧିରେ ଲୋକଙ୍କ ମନରେ ସନ୍ଦେହ ବଢ଼ୁଛି ।
ବିଜେପୁର ଆସନରୁ ନବୀନ ଇସ୍ତଫା ଦେବା ପରେ ଏଠାରେ ଦଳ କାହାକୁ ପ୍ରାର୍ଥୀ କରିବ । ଗଣ୍ଡା ଗଣ୍ଡା ଆଶାୟୀ ଅଛନ୍ତି । ତେବେ ନବୀନ କାହା ଉପରେ ଭରଷା କରି ପୁଣିଥରେ ଆସନ ଫେରାଇ ଆଣିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିରୋଧୀମାନେ ବିଜେଡିକୁ ମାତ ଦେବା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରିଛନ୍ତି । କିନ୍ତୁ ନିର୍ବାଚନ ତାରିଖ ଘୋଷଣା ହେଉନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟ ଅସନ୍ତୋଷ ଦେଖିବା ପାଇଁ ମିଳୁଛି ।