ବଲାଙ୍ଗୀର (ଏଟିଆର ବ୍ୟୁରୋ); ପାଟଣାଗଡ ବିଧାୟକ ଜେଇଙ୍କୁ ବସ ଉଠ କରାଇବା ଘଟଣାରେ କୌଣସି ଫଇସଲା ହୋଇନଥିବାରୁ ଆଜି ଆଦିବାସୀ ସଂଘ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସାଇ ପଶିବା ପାଇଁ ଚେଷ୍ଟା କରିଥିଲେ । ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ଉଭୟ ପୋଲିସ ଏବଂ ଆଦିବାସୀ ସଂଘ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଘଟଣାସ୍ଥଳରେ ପ୍ରବଳ ମାତ୍ରାରେ ଉତ୍ତେଜନା ଦେଖା ଦେଇଛି ।
ପାଟଣାଗଡ ବିଧାୟକଙ୍କ ଦବଙ୍ଗଗିରି ପାଇଁ ଆଦିବାସୀ ସଂଘ ଜେଇଙ୍କ ସପକ୍ଷରେ ବାହାରିଥିଲେ । ଜେଇଙ୍କୁ ଜାତିଆଣ ଆକ୍ଷେପ କରିଥିବା ମଧ୍ୟ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପତ୍ନୀ । ଏହାପରଠାରୁ ଆଦିବାସୀ ସଂଘ ଏକତ୍ରିତ ହୋଇଥିଲେ । ଗତ ୯ ତାରିଖରେ ଆଦିବାସୀ ସଂଘ ପକ୍ଷରୁ ସଭା ବସିଥିଲା । ସେମାନେ ସଶସ୍ତ୍ର ଆନ୍ଦୋଳନ କରିବା ପାଇଁ ମଧ୍ୟ ଚେତାବନୀ ଦେଇଥିଲେ ।
ଶନିବାର ସନ୍ଧ୍ୟାରେ ମହାସଂଘର ଜରୁରି ବୈଠକ ସ୍ଥାନୀୟ ଗଡ଼ଭିତରସ୍ଥିତ ବଢ଼େଇ ଓ ମିସ୍ତ୍ରି ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ପାଟଣାଗଡ଼ ବ୍ଲକ ଆଦିବାସୀ ସଂଘର ସଭାପତି ଅଷ୍ଟରତ୍ନ ବରିହା, ସମ୍ପାଦକ ସାରଥୀ ବାଗ, ଗିରିଧାରି ଭୋଇ, ଚନ୍ଦ୍ରମଣି ଶବର, ମନବୋଧ ବରିହା, ପୂର୍ଣ୍ଣାନନ୍ଦ ବରିହା ପ୍ରମୁଖଙ୍କ ସମେତ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ,ପାଟଣାଗଡ ନବନିର୍ବାଚିତ ବିଧାୟକ ସରୋଜ ମେହେର ଗତ ୫ ତାରିଖରେ ଜୟକାନ୍ତ ଶବରଙ୍କୁ ବସ ଉଠ କରାଇଥିଲେ । ରାସ୍ତା କାମ ଖରାପ ହୋଇଥିବାରୁ ସର୍ବସମ୍ମୁଖରେ ବସ ଉଠ କରାଇଥିଲେ । ବସ ଉଠ ନହେଲେ ମାଡ ମାରିବା ପାଇଁ ମଧ୍ୟ ଧମକ ଦେଇଥିଲେ । ଜେଇଙ୍କ ସ୍ତ୍ରୀ ଏତଲା ଦେବା ପରେ ଡିପ୍ଲୋମା ଇଂଜିନିୟର ସଂଘ ଏବଂ ଆଦିବାସୀ ସଂଘ ଜୟକାନ୍ତଙ୍କୁ ନ୍ୟାୟ ପ୍ରଦାନ ପାଇଁ ବାହାରିଥିଲେ ।