କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ମାଟିତଳୁ ବାହାରିଲା ମହିଳାଙ୍କ ଶବ । ଶବ ବ୍ୟବଛେଦ ନକରି ପୋତି ଦେଇଥିଲେ ଶାଶୁଘର ଲୋକେ । ଏନେଇ ବାପଘର ଲୋକେ ଆଣିଲେ ଅଭିଯୋଗ । ଏମିତି ଏକ ନାରକୀୟ କାଣ୍ଡ ଘଟିଛି କେନ୍ଦ୍ରାପଡା ଜିଲ୍ଲା ବନ୍ଧସାହି ଗ୍ରାମରେ । ଜଣେ ମହିଳାଙ୍କ ପୋତା ଯାଇଥିବା ମୃତ ଦେହକୁ ପୁଣି ଥରେ ଖୋଳି ବାହାର କରିଛି ପୋଲିସ ।
ସୂଚନା ଅନୁସାରେ ବନ୍ଧ ସାହି ଗ୍ରାମର ମୃତ ପାର୍ବତୀ ମଲ୍ଲିକ ଓ ତାଙ୍କ ସ୍ୱାମୀ ଚିତ୍ରସେନ ମଲ୍ଲିକଙ୍କ ପାରିବାରିକ ଜୀବନରେ ଅନେକ ସମୟରେ କଳି ହେଉଥିଲା । ଯେଉଁଥି ପାଇଁ ଉଭୟଙ୍କ ମଧ୍ୟରେ ସେତେଟା ଭଲ ପଡୁନଥିଲା । ଏକଥା ଉଭୟ ପରିବାର ଲୋକେ ମଧ୍ୟ ଅବଗତ ରହିଥିଲେ । ତେବେ ଗତ ଜୁନ ୮ ତାରିଖରେ ପାର୍ବତୀଙ୍କ ଦେହ ଖରାପ ଅଛି ସେ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି ବୋଲି ଚିତ୍ରସେନଙ୍କ ପରିବାର ପକ୍ଷରୁ ଫୋନ ଯୋଗେ ପାର୍ବତୀଙ୍କ ପରିବାରକୁ ଅବଗତ କରାଯାଇଥିଲା । ସୂଚନା ପାଇ ପାର୍ବତୀଙ୍କ ବାପଘର ଲୋକେ ମେଡିକାଲ ଆସିଥିଲେ ।
ମାତ୍ର ସେଠାରେ ପାର୍ବତୀଙ୍କର ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ହେଲେ ପାର୍ବତୀଙ୍କର ଶବକୁ ସେମାନେ ଦେଖି ନଥିଲେ । ପୋଲିସକୁ ସୂଚନା ନଦେଇ ପାର୍ବତୀଙ୍କ ଶାଶୁଘର ଲୋକେ ପାର୍ବତୀଙ୍କ ମୃତ ଦେହକୁ ପୋତି ଦେଇଥିଲେ ବୋଲି ପାର୍ବତୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ପୋତା ଯାଇଥିବା ମୃତ ଦେହକୁ ପୁଣି ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।