ସବୁଦିନ ପରି ସେଦିନ ବହୁତ ଭିଡ ଥିଲା ଔଷଧ ଦୋକାନ । ଚାରି ପାଞ୍ଚଜଣ ଚିଠା ଧରି ଔଷଧ ଦେଉଛନ୍ତି । ଆଉ ମାଲିକ କ୍ୟାସ କାଉଣ୍ଟର ସମ୍ଭାଳୁଛନ୍ତି ପ୍ରତିଦିନ ପରି । ଏହି ବ୍ୟସ୍ତ ବହୁଳତା ଭିତରେ ମାଲିକର ନଜର ପଡିଲା ଦୋକାନ ବାହାରେ ଥିବା ବଡ ବରଗଛ ମୂଳରେ ଠିଆ ହୋଇଥିବା ଏକ ବୃଦ୍ଧାଙ୍କ ଉପରେ । ବୟସ ପାଖା ପାଖି ୭୦ କି ୭୫ ହେବ । ବାଳ ଗୁଡା ସମ୍ପର୍ଣ୍ଣ ଧଳା । ବୃଦ୍ଧା ଜଣଙ୍କ ସେଠାରେ ଠିଆ ହୋଇ ଔଷଧ ଦୋକାନ ଆଡକୁ ଅନେଇ କଣ ଗୋଟେ ଭାବୁଛି । ମାଲିକ ଜଣଙ୍କ କାମ କରୁଥିବା ଭିତରେ ବୃଦ୍ଧାଙ୍କୁ ମଝିରେ ମଝିରେ ଦେଖୁଥାନ୍ତି । ବୃଦ୍ଧାଟି ସେହିପରି କିଛି ଭାବୁଥାଏ ଓ ନିଜେ ଥକି ପଡିଲେ ବସି ପଡୁଥାଏ । ବୋଧହୁଏ ମାଉସୀଙ୍କର କିଛି ଔଷଧ ଦରକାର ଅଛି । ଦୋକାନ ମାଲିକ ଦୋକାନ ଛାଡି ମାଉସୀଙ୍କ ପାଖକୁ ଗଲେ ଏବଂ ପଚାରିଲେ ।
– ମାଉସୀ କଣ କିଛି ଔଷଧ ଦରକାର କି ? ବୁଢି ପାଟିରୁ ବାହାରି ଆସିଲା ହଁ ପୁଅ । ଦୋକନୀ ଟି ପୁଣି ପଚାରିଲା କେଉଁ ରୋଗ ହୋଇଛି ।
ଏତକ ଶୁଣି ସାରିବା ପରେ ବୃଦ୍ଧା ଜଣଙ୍କ ଭଲ ଭାବେ ସେଇ ଔଷଧ ଦୋକାନୀର ମୁହଁକୁ ଅନେଇଲା । ତା ଗାଲ ଚାରିପାଖରେ ଥରି ଯାଉଥିବା ହାତ ଦୁଇଟିକୁ ବୁଲାଇ ଆଣି ପଚାରିଲା ।
– ଠିକ ତୋରି ପରି ମୋର ଦୁଇ ପୁଅ ବିଦେଶରେ ଚାକିର କରି ନିଜନିଜ ପିଲା ଛୁଆଙ୍କ ସହିତ ବାହାରେ ରହୁଛନ୍ତି । ଆମେ ବୁଢା ବୁଢି ଦୁଇ ଜଣ ଘରେ ରହୁଛୁ ପିଲା ମାନଙ୍କର ଖରା ଛୁଟି ହେଲେ ସେମାନେ ଘରକୁ ଆସନ୍ତି । କିନ୍ତୁ ଏଥର ଖରା ଛୁଟିରେ ସେମାନେ କୁଆଡେ ଥଣ୍ଡା ଯାଗା ବୁଲିବାକୁ ଯିବେ । ଫୋନ କରି କହିଛନ୍ତି ।
ଏସନ ସେମାନେ ଘରକୁ ଆସି ପାରିବେ ନାହିଁ । ପୁଣି ଆର ବର୍ଷକୁ ଅପେକ୍ଷା । ନାତି ନାତୁଣୀଙ୍କ କଥା ବହୁତ ମନେ ପଡୁଛିରେ ପୁଅ । ବାପାରେ ନାତି ନାତୁଣୀଙ୍କୁ ଭୁଲିବା ପାଇଁ ତୋ ପାଖରେ କିଛି ଔଷଧ ଅଛି କି । ମୋତେ ଗୋଟେ ଦିଅନ୍ତୁନି ମୁଁ ଖାଇ ଦିଅନ୍ତି । ଭାରି ମନେ ପଡୁଛନ୍ତି ସେମାନେ ।
ଥରଥରା ଗଳାରେ କହୁଥିଲା ବୃଦ୍ଧା ଜଣଙ୍କ । ସେତେବେଳକୁ ଦୋକନୀର କାନକୁ ବାହାରାର କିଛି କଥା ଶୁଣାଯାଉ ନଥିଲା । ତା କାନରେ କେବଳ ଗୋଟିଏ କଥା ବାରମ୍ଭାର ପ୍ରତିଧ୍ୱନିତ ହେଉଥିଲା । ନାତୁଣୀଙ୍କୁ ଭୁଲିବା ପାଇଁ ତୋ ପାଖରେ କିଛି ଔଷଧ ଅଛି କି ।
ଦୋକାନୀ ଭାବୁଥିଲା ସେ ମାଉସୀଙ୍କୁ କେମିତି ବୁଝେଇବ ଏଥି ପାଇଁ ତାଙ୍କ ଦୋକାନରେ କିଛି ଔଷଧ ନାହିଁ ବୋଲି ।