ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ୧୭ ତମ ଲୋକସଭାର ଆଜି ପ୍ରଥମ ଦିନରେ ନବନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିଛନ୍ତି । ସାଂସଦ ବିରେନ୍ଦ୍ର କୁମାର କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କରାଇଛନ୍ତି । ସୂଚନା ଅନୁସାରେ ପ୍ରଥମ ଦୁଇଦିନ ନିର୍ବାଚନ ସାଂସଦ ମାନଙ୍କ ଶପଥ ପାଠ କରାଯିବ । ସମସ୍ତ ନିର୍ବାଚିତ ସାଂସଦ ମାନଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି । ସେହିଭଳି ଆସନ୍ତା ବୁଧବାର ବାଚସ୍ପତି ଚୟନ କରାଯିବ । ତାପରେ ନିୟମ ଅନୁସାରେ ରାଷ୍ଟ୍ରପତି ସଂସଦକୁ ସମ୍ଭୋଧିତ କରିବେ ।
ଏବଂ ଆସନ୍ତା ଜୁଲାଇ ୫ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନା କରିବେ । ସୂଚନା ଅନୁସାରେ ଏହି ଅଧିବେଶନରେ ସରକାର ତିନ ତଲାକ, ନାଗରିକତା ସଂଶୋଧନ ବିଧେୟ ଉପସ୍ଥାପନା କରି ପାରନ୍ତି । ଆଜି ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ଗୋପନୀୟତାର ଶପଥ ପାଠ କରିଛନ୍ତି । ଉତ୍ତରପ୍ରଦେଶ ଆମେଠି ସାଂସଦ ସ୍ମୃତି ଇରାନୀ, ଆକାଳି ଦଳ ସାଂସଦ ହରସିମରତ କୌର ବାଦଲ, କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରୀ ନୀତିଶ ଗଡକରି, କେଦ୍ରୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କଂଗ୍ରେସର କେରଳ ସାଂସଦ କୋଡି କୁସିଲ ପ୍ରମୁଖ ହେବିୱେଟ ନେତା ପଦ ଗୋପନୀୟତାର ଶପଥ ନେଇଛନ୍ତି ।
ତେବେ ଆଜି ଶପଥ ଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଆଜି ସମ୍ବିଧାନ ସହିତ ପରିଚୟର ଦିନ, ଜନତା ଆମକୁ କାମ କରିବାର ସୁଯୋଗ ଦେଇଛନ୍ତି । ଜନତା କରିଥିବା ଆଶା ଏବଂ ଭରଷାକୁ ପୁରା କରିବୁ । ବିପକ୍ଷଙ୍କ ସମସ୍ତ କଥା ଓ ଭାବନା ଆମ ପାଇଁ ବହୁତ ମୂଲ୍ୟବାନ । ଆଗାମୀ ପାଞ୍ଚ ବର୍ଷରେ ଗୃହର ଗାରିମା ଆଗକୁ ବଢାଇବୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।