ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜନୈତିକ ଦଳର ପ୍ରମୁଖ ମାନଙ୍କୁ ନେଇ ଏକ ସର୍ବ ଦଳୀୟ ବୈଠକ ଡାକିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ ଦଳର ସଭାପତି ଓ ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ଅପରାହ୍ନ ୩ ଟାରେ ସଂସଦ ଭବନରେ ହେବାକୁ ଥିବା ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ କେସିଆର ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି । କେସିଆରଙ୍କ ପକ୍ଷରୁ ତାଙ୍କ ପୁଅ ତଥା ଦଳର ଅଧ୍ୟକ୍ଷ କେଟି ରାମା ରାଓ ସାମିଲ ହେବେ ।
ହେଲେ ପଶ୍ଚିମବଙ୍ଗରୁ ଟିଏମସିର କୌଣସି ପ୍ରତିନିଧି ଏଥିରେ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି । ସେହିଭଳି ଓଡିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବେ । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଆଜି ଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ନିମନ୍ତ୍ରଣ କରିଥିଲେ । ଆଜିର ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ସବୁ ଦଳର ସହମତି ଲୋଡିବେ ।
ସେହିଭଳି ୨୦୨୨ ରେ ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ହେଉଥିବାରୁ ସେନେଇ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆଜି କଂଗ୍ରେସ ଏହି ବୈଠକରେ ଯୋଗ ଦେବ କି ନାହିଁ ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହେବ । ଅନ୍ୟପକ୍ଷେ ଆଜି ରାହୁଳ ଗାନ୍ଧିଙ୍କ ଜନ୍ମ ଦିନ ଥିବାରୁ ସେ ଆଜିର ବୈଠକରେ ଯୋଗ ଦେଇ ନ ପାରନ୍ତି ବୋଲି ସୂତ୍ରରୁ ଖବର ପ୍ରକାଶ ପାଇଛି ।