ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେପିରେ ଯୋଗ ଦେଲେ ଅଶ୍ୱିନୀ ବୈଷ୍ଣବ । ଗତକାଲି ବିଜେପି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା । ବିଜେଡି ତାଙ୍କୁ ମଧ୍ୟ ସମର୍ଥନ କରିଛି । କିନ୍ତୁ ଆଜି ବିଜେପିରେ ଯୋଗଦେଲେ ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ବିନୀ ବୈଷ୍ଣବ । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ସଚିବ ରହିଥିଲେ ଓଡିଶା କ୍ୟାଡର ଏହି ଆଇଏଏସ ଅଧିକାରୀ ଅଶ୍ବିନୀ ବୈଷ୍ଣବ ।
ସୂଚନାଯୋଗ୍ୟ ଯେ, ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିବ ବୋଲି ଗତକାଲି ଟ୍ବିଟ୍ କରି ଘୋଷଣା କରିଥିଲା ବିଜେପି । ପୂର୍ବରୁ ରାଜ୍ୟସଭାରେ ସଂଖ୍ୟା ନଥିବାରୁ ପ୍ରାର୍ଥୀ ଦେବାକୁ ମନା କରିଥିଲା ବିଜେପି। ପୁଣି ହଠାତ୍ ବିଜେପି ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ।
ଅଶ୍ୱିନୀ ବୈଷ୍ଣବ କେଉଁ ଦଳର ପ୍ରାର୍ଥୀ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ରାଜ୍ୟ ରାଜନୀତିରେ ହଠାତ୍ ଏଭଳି ମାହୋଲ ସୃଷ୍ଟି ହୋଇଥିଲା ଯେ, ରାଜନୈତିକ ବିଶଷଜ୍ଞମାନେ ମଧ୍ୟ ଏନେଇ କୌଣସି ସ୍ପଷ୍ଟୋକ୍ତି ଦେଇପାରି ନଥିଲେ । ଘଟଣାଟି ଏମିତି ଥିଲା ଯେ, ପ୍ରଥମେ ବିଜେପି ନିଜ ଅଫିସିଆଲ୍ ଟ୍ୱିଟ୍ ଆକାଉଣ୍ଟରେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିବା ପରେ ବିଜେଡି ପକ୍ଷରୁ ମଧ୍ୟ ତାଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଘୋଷଣା କରାଯାଇଥିଲା ।