ବଲାଙ୍ଗୀର (ଏଟିଆର ବ୍ୟୁରୋ); ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେରଙ୍କୁ ଅଟକ ରଖିଛି ପୋଲିସ । ଆଜି ସକାଳେ ତାଙ୍କୁ ଆଣି ଜେରା କରୁଛି ପୋଲିସ । ନୂଆପଡା ଖଡିଆଳରୁ ଆଣି ବଲାଙ୍ଗୀରରେ ପଚରା ଉଚରା କରୁଥିବା ଶୁଣିବାକୁ ମିଳୁଛି । ପାଟଣାଗଡ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୧୦୦ ଥର ବସ୍ ଉଠ କରାଇଥିଲେ ବିଧାୟକ । ଯାହାକି ସାରା ରାଜ୍ୟରେ ଏକ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା । ଦୀର୍ଘ ଦିନ ଆନ୍ଦୋଳନ ପରେ ଏବେ ପୋଲିସର ଚେତା ପଶିଛି ବୋଲି ସାଧାରଣ ଲୋକ କହୁଛନ୍ତି ।
ସୂଚନାଯୋଗ୍ୟ,ରାସ୍ତା କାମ ନିମ୍ନମାନର ହୋଇଥିବାରୁ ଜେଇଙ୍କୁ ବସ ୍ଉଠ କରାଇଥିଲେ ବିଧାୟକ । ୫ ମିନିଟରେ ୧୦୦ ଥର ବସ୍ ଉଠ ନହେଲେ ଲୋକ ମାଡ ମାରିବେ । ଏଭଳି କହୁଥିବା ଏବଂ ଜେଇ ବସ୍ ଉଠ ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବିଧାୟକଙ୍କ ଏହି ଦବଙ୍ଗଗିରିକୁ ପ୍ରଥମେ ଜନ ସାଧାରଣ ବିରୋଧ କରିଥିଲେ ।
ଜୟକାନ୍ତଙ୍କ ପତ୍ନୀ ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ମଧ୍ୟ ଦେଇଥିଲେ । ବିଧାୟକ ଜୟକାନ୍ତଙ୍କୁ ମାଡ ମାରିବା ସହିତ ଜାତିକୁ ନେଇ ଆକ୍ଷେପ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ନିରବ ରହିଥିଲା । ତେବେ ଏହାକୁ ବିରୋଧ କରି ବଲାଙ୍ଗୀର ଆଦିବାସୀ ସଂଘ ସ୍ୱର ଉତ୍ତୋଳନ କରିଥିଲା । ଡିପ୍ଳୋମା ଇଞ୍ଜିନିୟର ସଂଘ ପକ୍ଷରୁ ମଧ୍ୟ ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଥିଲା ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା ଆଦିବାସୀ ସଂଘ । ତେବେ ଏହାର କୌଣସି ପ୍ରଭାବ ପଡି ନଥିଲା । ଏଣୁ ସଂଘ ଆସନ୍ତା ୨୬ ତାରିଖରେ ବିଧାନସଭା ଘେରାଉ କରିବା ପାଇଁ କଡା ଚେତାବନୀ ଦେଇଥିଲା । ଘେରାଉ କରିବାକୁ ଦୁଇ ଦିନ ଥିବା ବେଳେ ଆଜି ପୋଲିସ ଆକ୍ସନ ମୁଡରେ ଅଛି । ବିଧାୟକଙ୍କୁ ନେଇ ଆରମ୍ଭ କରିଛି ଜେରା ।ଗତ ୨୦ ତାରିଖରେ ବିଧାୟକଙ୍କ ଆଗୁଆ ଜାମିନ ଉପରେ ହାଇକୋର୍ଟରେ ଶୁଣାଣି ହୋଇଥିଲା । କେସ୍ ଡାଏରୀ ଦାଖଲ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।