ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଥର ଆଉ ସରକାରୀ ଚାକିରି କରିଥିବା ଶିକ୍ଷକ ଶିକ୍ଷୟତ୍ରୀ କରି ପାରିବେ ନାହିଁ ଟ୍ୟୁସନ । ଏମିତି ଏକ ଚେତାବନୀ ଦେଇଛନ୍ତି ଆଞ୍ଚଳିକ ଶିକ୍ଷା ନିର୍ଦେଶକ । ଏମିତି କି ସାଧାରଣ ଲୋକ ଏନେଇ ସଚେତନ ରହିବାକୁ ସୂଚନା ରହିଛି । ଯଦି ସରକାରୀ ଶିକ୍ଷକ କୌଣସି ସ୍ଥାନରେ ଟ୍ୟୁସନ କରୁଥିବା ଖବର ଆସେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।
ସରକାରୀ ଚାକିରି କରିଥିବା ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟାପକ ଅଧ୍ୟାପକ, ଡେମନଷ୍ଟ୍ରେଟର କୌଣସି ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ କରିପାରିବେ ନାହିଁ । ଗତ ଶିକ୍ଷାବର୍ଷର ପ୍ରକାଶିତ ଦଶମରୁ କଲେଜ ପର୍ଯ୍ୟନ୍ତ ରେଜଲ୍ଟରେ କେତେକ ସ୍କୁଲ କଲେଜରେ ଫଳ ସମ୍ପୂର୍ଣ୍ଣ ଶୂନ ଥିବା ଦେଖିବାକୁ ମିଳିଥିଲା । ସେହିଭଳି ଏଥର ବିଜ୍ଞାନ ଓ ବାଣିଜ୍ୟରେ ମଧ୍ୟ ଗତ ଥର ଅପେକ୍ଷା ପାସ ହାର କମି ଥିଲା ।
ଯାହାକୁ ନେଇ ମତ ପ୍ରକାଶ ପାଇଥିଲା କି ଶିକ୍ଷକ ମାନେ ଟ୍ୟୁସନ ମୁହାଁ ହେବା କାରଣରୁ ସେମାନେ ସ୍କୁଲ କଲେଜରେ ଛାତ୍ର ଛାତ୍ରୀଙ୍କ ଉପରେ ସେତେଟା ଧ୍ୟାନ ଦେଉ ନାହାନ୍ତି । ଯାହା ଫଳରେ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଫଳାଫଳ କମୁଛି । ଟ୍ୟୁସନ ମୁହାଁ ଶିକ୍ଷକଙ୍କୁ ବାଟକୁ ଆଣିବାକୁ ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଅନ୍ୟପଟେ ସରକାରଙ୍କ ଏହି ନିୟମକୁ ସାଧାରଣରେ ପ୍ରଶଂସା ମିଳୁଥିବା ବେଳେ ଏହାକୁ ନେଇ ଶିକ୍ଷକ ମାନଙ୍କ ମଧ୍ୟରେ ସମାନ୍ୟ ଅସନ୍ତୋଷ ଦେଖା ଦେଇଛି ।