କୋରାପୁଟ (ଏଟିଆର ବ୍ୟୁରୋ); ଲୁଟ କରିବା ପାଇଁ ଆସିଥିଲେ । ଏଟିଏମ ମେସିନ ମଧ୍ୟ ଭାଙ୍ଗିଲେ କିନ୍ତୁ କ୍ୟାସ ବକ୍ସ ନେବାରେ ବିଫଳ ହେଲେ ଦୁର୍ବୃତ୍ତ । କୋରାପୁଟ ଜିଲ୍ଲା ଜୟପୁର ସହରରୁ ଆସିଛି ଏଭଳି ଖବର । ସହରର ଗାନ୍ଧୀ ଛକରେ ଥିବା ଆଇଡିବିଆ ବ୍ୟାଙ୍କ ଏଟିଏମରୁ ଲୁଟ କରିବା ପାଇଁ ଚେଷ୍ଟା କରିଥିଲେ ବୋଲି ଶୁଣିବାକୁ ମିଳିଛି । ତେବେ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୋଲିସ ରିପୋର୍ଟ ମୁତାବକ,ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲୁଟ କରିବା ପାଇଁ ଏଟିଏମ ଭିତରେ ପଶିଥିଲେ । ମେସିନ ମଧ୍ୟ ଭାଙ୍ଗିବାରେ ସଫଳ ହୋଇଥିଲେ । କିନ୍ତୁ କ୍ୟାସ ବକ୍ସ ଭାଙ୍ଗି ପାରି ନାହାଁନ୍ତି । ଆଜି ସକାଳେ ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଜୟପୁର ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରିଛି ।
ସିସିଟିଭି ଆଧାରରେ ଦୁର୍ବୃତ୍ତଙ୍କ ପାଖରେ ପହଁଞ୍ଚିବା ପାଇଁ ପୋଲିସ ଚେଷ୍ଟା କରିବ ବୋଲି ସୂଚନା ମିଳିଛି । ତେବେ ଏହି ଏଟିଏମ ଲୁଟ ଘଟଣା ପ୍ରଥମ ନୁହେଁ । ପୂର୍ବରୁ ଏଭଳି ରାଜ୍ୟର ବହୁ କୋଣ ଅନୁକୋଣରେ ଏଟିଏମ ଭାଙ୍ଗି ଲୁଟ କରିଛନ୍ତି ଦୁର୍ବୃତ୍ତ । କେତେକ ଦୁର୍ବୃତ୍ତ ଧରା ପଡିଥିବା ବେଳେ ଆଉ କେତେକ ପୋଲିସକୁ ଚକମା ମଧ୍ୟ ଦେଇଛନ୍ତି ।