ପାରାଦୀପ ( ଏଟିଆର ବ୍ୟୁରୋ): ପୁଣି ଶିକ୍ଷକଙ୍କ ନାମରେ ଅସଦାଚରଣ ଅଭିଯୋଗ । ଏମିତି ଏକ ସାଙ୍ଗାତିକ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ କାଠକୋଟ ପଞ୍ଚାୟତ ବାଣେଶ୍ୱରା ଗ୍ରାମର ରତ୍ନମାଳୀ ଉଚ୍ଚ ପ୍ରାଥମିକ ବିଧ୍ୟାଳୟରୁ । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲର ବିଜ୍ଞାନ ଶିକ୍ଷକ ଦୀପକ ମହାପାତ୍ର ଅସଦାଚରଣ କରିଥିବା ଅଭିଯୋଗ ଆସିଛି । ସୂଚନା ଅନୁସାରେ ସଂମ୍ପୃକ୍ତ ଶିକ୍ଷକ ଜଣଙ୍କ ସ୍କୁଲର ଜଣେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକାଙ୍କୁ ଖାତା ଦେଖିବାକୁ ଡାକି ତାଙ୍କୁ ଖରାପ ଇଙ୍ଗିତ କରିଥିଲେ ।
ଏମିତିକି ନାବାଳିକାଙ୍କୁ ଅଫିସ ଘରକୁ ଡାକି ପୁଣି ଅଙ୍ଗନବାଡି ଘରକୁ ଯିବା ପାଇଁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ପୂର୍ବରୁ ମଧ୍ୟ ଏମିତ ଅସଦାଚରଣ କରିଥିଲେ ଶିକ୍ଷକ । ଏମିତିକି ଏ ବିଷୟରେ କାହାକୁ କିଛି ନ କହିବା ପାଇଁ ମଧ୍ୟ ନାବାଳିକାକୁ ଧମକ ଦେଇଥିଲେ । ତେବେ ସାରଙ୍କ ଏଭଳି କାରାନାମାରେ ନାବାଳିକା ଜଣଙ୍କ ଅତିଷ୍ଠ ହୋଇ ପରିବାର ଲୋକଙ୍କ ଆଗରେ ଏ ବିଷୟରେ କହିଥିଲେ ।
ଗ୍ରାମବାସୀ ଏବଂ ପରିବାର ଲୋକେ ସମ୍ଫୃକ୍ତ ଶିକ୍ଷକଙ୍କୁ ବିଦ୍ୟାଳୟର ଏକ ଗୃହେରେ ବନ୍ଦୀ କରି ରଖିଥିଲେ । ପରେ ସେଠାରେ ପୋଲିସ ପହଞ୍ଚି ଶିକ୍ଷକଙ୍କୁ ଉଦ୍ଧାର କରିବା ସହିତ କୁଜଙ୍ଗ ଥାନାକୁ ନେଇ ପଚରାଉଚରା ଆରମ୍ଭ କରିଛି । ସୂଚନାଯୋଗ୍ୟ ନାବାଳିକାଙ୍କ ପରିବାର ପକ୍ଷରୁ ଏନେଇ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।