ମାଲକାନଗିରି (ଏଟିଆର ବ୍ୟୁରୋ); କଥାରେ ଅଛି ଅଭାବରୁ ସ୍ୱଭାବ ନଷ୍ଟ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ମାଲକାନଗିରି ଜିଲ୍ଲା ଗୋଡଗୁଡ ଗାଁରେ ଦେଖିବାକୁ ମିଳିଛି । ସ୍ୱାମୀଙ୍କ ମୃତ୍ୟୁ ପରେ ଆର୍ଥିକ ଅବସ୍ଥା ସଙ୍କଟରେ ଥିବା ଜଣେ ମହିଳା ଶେଷରେ ନିଜ ଛୁଆଙ୍କୁ ବିଷ ପିଆଇବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ତେବେ ଭଗବାନଙ୍କ ଦୟାରୁ ଦୁଇ ଶିଶୁଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିବା ବେଳ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସୀତା ମାଡକାମୀ । ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁଯାୟୀ,ଦୁଇ ମାସ ତଳେ ରୋଗରେ ପଡି ସୀତାଙ୍କ ସ୍ୱାମୀ ମୃତ୍ୟୁ ବରଣ କରିଛନ୍ତି । ସ୍ୱାମୀଙ୍କୁ ଭଲ କରିବା ପାଇଁ ସବୁକିଛି ବିକି ଦେଇଥିଲେ । ଏବେ ଦୁଇମାସ ହେବ କଷ୍ଟରେ ଚଳୁଥିଲେ । ୪ ବର୍ଷର ପୁଅ ଏବଂ ୫ବର୍ଷର ଝିଅଙ୍କୁ ଆଗକୁ ଆଉ ଚଳେଇ ନପାରିବା ଭୟରେ ବିଷ ପିିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ସୀତା ।
ଗତକାଲି ରାତି ୧୦ ବେଳେ ଖାଇ ସାରିବା ପରେ ଦୁଇ ଶିଶୁଙ୍କୁ ବିଷ ପିଆଇ ଦେଇଥିଲେ ସୀତା । ପରେ ନିଜେ ପିଇ ପିଇ ଦେଇଥିଲେ । ତେବେ ବିଷ ଜ୍ୱାଳା ସହିନପାରି ଶିଶୁ ଦ୍ୱୟ କାନ୍ଦିଥିଲେ । ପାଟିଶୁଣି ସାଇ ପଡିଶା ଦୌଡି ଆସିଥିଲେ । ବିଷ ପିଇବା କଥା ଜାଣିବା ପରେ ତିନିଜଣଙ୍କୁ ଉଦ୍ଧାର କରି ମେଡିକାଲ ନେଉଥିଲେ । ବାଟରେ ସୀତାଙ୍କ ମୃତ୍ୟୁ ହୋଇଥିଲା । ଶିଶୁ ଦ୍ୱୟ ଏବେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।