ଗଞ୍ଜାମ (ଏଟିଆର ବ୍ୟୁରୋ); ରାସ୍ତା ଉପରେ ପଡି ରହିଛି ଅଧ୍ୟାପକଙ୍କ ମୃତ ଦେହ । ଦେହ ସାରା କ୍ଷତ ବିକ୍ଷତ ଚିହ୍ନ ଥିବା ବେଳେ ବୁଲେଟ ତାଙ୍କ ଗୋଡ ଉପରେ ପଡି ରହିଛି । ତେବେ କେହି ହତ୍ୟା କରିବା ପରେ ଦୁର୍ଘଟଣାର ରୂପ ଦେବା ପାଇଁ ବୁଲେଟ ପକାଇଛି ତାହା ସ୍ପଷ୍ଟ ଜଣା ପଡିନାହିଁ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ବିରୁଳିଗଡରୁ ଆସିଛି ଏଭଳି ଦୁଃଖଦ ଘଟଣା । ମୃତ ଅଧ୍ୟାପକ ହେଲେ ଅଶ୍ୱିନୀ କୁମାର ମିଶ୍ର ।
ରବିବାର ସକାଳେ ରାସ୍ତା ଉପରେ ଅଶ୍ୱିନୀଙ୍କ ମୃତ ଦେହ ପଡିଥିବା ଦେଖିଥିଲେ ସ୍ଥାନୀୟ ଲୋକ । ପ୍ରଥମେ ସେମାନେ ଭୟ କରି ଯାଇଥିଲେ । ରାସ୍ତା ମଝିରେ ମୃତ ଦେହ ପଡିଥିବାରୁ ଯାଉଥିବା ଲୋକମାନେ ସେଠାରେ ରୁଣ୍ଡ ହୋଇ ଯାଇଥିଲେ । ରାସ୍ତାରେ ଗହଳି ହୋଇଥିବାରୁ ଯାତାୟତରେ ମଧ୍ୟ ଅସୁବିଧା ହୋଇଥିଲା ।
ପୋଲିସ ଖବର ପାଇବା ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ଅଧ୍ୟାପକଙ୍କ ମୃତ୍ୟୁ କିପରି ହୋଇଛି ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତ ଅଧ୍ୟାପକଙ୍କ ପରିବାର ଏହି ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଅଶ୍ୱିନୀ ରମ୍ଭା ସ୍ଥିତ ଜଗନ୍ନାଥ ମହାବିଦ୍ୟାଳୟରେ ଅଧ୍ୟାପକ ଥିଲେ ବୋଲି ଶୁଣିବାକୁ ମିଳିଛି ।ଏହା ଦୁର୍ଘଟଣା ନାଁ ହତ୍ୟା ଏବେ ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।