ଯାଜପୁର (ଏଟିଆର ବ୍ୟୁରୋ); କଣ୍ଟେନର ପଛପଟେ ପିଟିହେଲା ଟ୍ରେଲର । ଅକାଳରେ ଚାଲିଗଲା ଦୁଇ ଜୀବନ । ଯାଜପୁର ଜିଲ୍ଲା ବଡଚଣା ଥାନା ହାଟକରନ୍ଦା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ଦ୍ୱୟ ଟ୍ରେଲର ଡାଇଭର ଏବଂ ହେଲଫର ବୋଲି ଜଣା ପଡିଛି । ଉଭୟଙ୍କ ଘର ତାମିଲନାଡୁର ଧମରପୁରୀ ଅଞ୍ଚଳରେ ବୋଲି ଜଣା ପଡିଛି । ପୋଲିସ ଖବର ପାଇବା ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୋମବାର ଭୋର ୫ଟା ସମୟରେ ରାସ୍ତା କଡରେ ଛିଡା ହୋଇଥିବା କଣ୍ଟେନର ପଛପଟେ ପିଟି ହୋଇଥିଲା ଟ୍ରେଲର । କଣ୍ଟେନରରେ ଯାଉଥିବା ଲୁହା ରଡ ଡ୍ରାଇଭର ଏବଂ ହେଲଫରଙ୍କ ଦେହରେ ଗଳି ଯାଇଥିଲା । ଫଳରେ ଉଭୟ ଘଟଣାସ୍ଥଳରେ ହିଁ ମୃ୍ତ୍ୟୁ ବରଣ କରିଥିଲେ । ରାସ୍ତା କଡରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବା ପରେ ଲୋକମାନେ ଅଟକି ଯାଉଛନ୍ତି । ତେବେ ପୋଲିସ ଏହି ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ମୃତକଙ୍କ ଘରକୁ ମଧ୍ୟ ଖବର ପଠାଯାଇଛି ।