ନୂଆପଡା (ଏଟିଆର ବ୍ୟୁରୋ); ପୁଣିଥରେ ଫେଲ ମାରିଲା ଆମ୍ବୁଲାନ୍ସ ଯୋଜନା । ଖଟିଆରେ ବୁହା ହେଲେ ଗର୍ଭବତୀ । ରାଜ୍ୟରେ ବିକାଶ ହୋଇଛି ବୋଲି ସରକାର ତିମିଣ୍ଡି ପିଟୁଛନ୍ତି । କିନ୍ତୁ ଗୋଟିଏ ପରେ ଗୋଟିଏ ଏଭଳି ଘଟଣା ନଜରକୁ ଆସୁଛି । ମଙ୍ଗଳବାର ନୂଆପଡା ଜିଲ୍ଲା ଖଣ୍ଡିଆଳ ବ୍ଳକ ସମାଡପଦରରେ ଜଣେ ଗର୍ଭବତୀ ଖଟିଆରେ ବୁହା ହୋଇଛନ୍ତି । ମେଡିକାଲରେ ପହଁଞ୍ଚିବା ପୂର୍ବରୁ ପାହାଡ ତଳେ ପ୍ରସବ କରିଛନ୍ତି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ମଙ୍ଗଳବାର ସକାଳେ ସମାଡପଦର ଗାଁର ପ୍ରମିଳା ମାଝୀଙ୍କ ପ୍ରସବ ଯନ୍ତ୍ରଣା ଅନୁଭବ ହୋଇଥିଲା । ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ କରିଥିଲେ ସୁଦ୍ଧା ଗାଁକୁ ରାସ୍ତା ନଥିବାରୁ ପହଁଞ୍ଚି ପାରିନଥିଲା । ଗାଁ ଛକରେ କିଛି ସମୟ ଅପେକ୍ଷା କରିବା ପରେ ଆମ୍ବୁଲାନ୍ସ ଫେରି ଯାଇଥିଲା । ପରିବାର ଲୋକ ପ୍ରମିଳାଙ୍କୁ ଖଟିଆରେ ବୋହି ଆଣୁଥିବା ବେଳେ ପାହାଡ ତଳେ ପ୍ରସବ କରିଥିଲେ ।
ସେଠାରେ ଛୁଆ ଜନ୍ମ ଦେବା ପରେ ମା ଏବଂ ଛୁଆଙ୍କୁ ନେଇ ପୁଣିଥରେ ଘରକୁ ଫେରାଇ ନେଇଛନ୍ତି ପରିବାର ଲୋକ । ଦେଢ଼ ବର୍ଷ ପୁର୍ବେ ଜିଲ୍ଳାପାଳ ଡ଼ଃ ପୋମା ଟୁଡୁ ଏ ଗାଁକୁ ପାଦରେ ଚାଲି ଚର୍ଚ୍ଚାରେ ଥିଲେ ଓ ସମ୍ମାନ ପାଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ଟ୍ୱିଟ୍ କରିଥିଲେ । ପ୍ରତିଶୃତି ଦେଇଥିଲେ ଗାଁକୁ ରାସ୍ତା ହେବ । କିନ୍ତୁ ଅଦ୍ୟାବଧି କୌଣସି ପ୍ରତିଶ୍ରୁତି ପୂରଣ କରିଲେନି ରାଜ୍ୟ ସରକାର । ଫଳରେ ଆଜି ମଧ୍ୟ ଗର୍ଭବତୀ ଖଟିଆ ରେ ବୁହାହେଲେ ।