ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜିଠାରୁ ଆରମ୍ଭ ହେଲା ମେଟ୍ରିକ ସପ୍ଳିମେଣ୍ଟାରୀ । ସକାଳ ୯ଟାରୁ ଆରମ୍ଭ ହୋଇଛି ପରୀକ୍ଷା । ୧୧.୩୦ରେ ସରିବ ପରୀକ୍ଷା । ପ୍ରଥମ ଦିନରେ ଛାତ୍ର ଛାତ୍ରୀମାନେ ବହୁ ଆଗ୍ରହର ସହ ପରୀକ୍ଷା ଦେବା ପାଇଁ ପରୀକ୍ଷା କେନ୍ଦ୍ରକୁ ଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କାରଣ ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ବେଳେ ବ୍ୟାପକ ଅନିୟମିତତା ହୋଇଥିଲା । ପରୀକ୍ଷା ଆରମ୍ଭ ଦିନରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ପରୀକ୍ଷା ସକାଳ ୯ରୁ ୧୧.୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପାର୍ଟ-୧ (ଅବଜେକଟିଭ)ର ଓଏମ୍ଆର୍ ଉତ୍ତରଫର୍ଦ୍ଦ ସକାଳ ୮ଟା ୩୦ରେ ପରୀକ୍ଷାର୍ଥୀଙ୍କୁ ବଣ୍ଟନ କରାଯିବ । ଏହି ପରୀକ୍ଷା ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ । କେବଳ ଗଣିତ(ଅବଜେକଟିଭ) ପରୀକ୍ଷା ସକାଳ ୯ଟାରୁ ୧୦ଟା ୧୫ ପର୍ଯ୍ୟନ୍ତ ଚାଲିବ ।ସେହିପରି ପାର୍ଟ-୨ (ସବଜେକଟିଭ୍) ପରୀକ୍ଷା ସକାଳ ୧୦ରୁ ୧୧.୩୦ ପର୍ୟ୍ୟନ୍ତ ଚାଲିବ ।
ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧୪ରେ ସରିବାକୁ ଥିବାବେଳେ ଓ ଓପନ ସ୍କୁଲ ପରୀକ୍ଷା ଜୁଲାଇ ୧୬ରେ ଶେଷ ହେବ । ଏନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସପ୍ଲିମେଣ୍ଟାରୀ ପରୀକ୍ଷା ସମେତ ଷ୍ଟେଟ୍ ଓପନ ସ୍କୁଲ ପରୀକ୍ଷା ସଂପର୍କୀୟ ସମସ୍ତ ସୂଚନା ବୋର୍ଡର ନିଜସ୍ୱ ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ରହିଛି । ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ୧୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି।