କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଛୋଟ ସାପର ବେଶୀ ବିଷ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନିଳିକଣା ଗ୍ରାମରେ । ନାବାଳକମାନେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଘରେ ପଶି ଲୁଟୁଥିଲେ ମୋବାଇଲ ଏବଂ ସୁନା ଚେନ । ତେବେ ଚୋର ଘର ସବୁଦିନ ଅନ୍ଧାର ନୁହେଁ । ଦିନେ ନା ଦିନେ ଆଲୁଅ ପଡିବ । ଠିକ ସେହିପରି ଗତକାଲି ନାବାଳକ ଚୋରୀ ଗ୍ୟାଙ୍ଗକୁ ଗାଁଲୋକ ଧରି ଗଛରେ ବାନ୍ଧି ଦେଇଥିଲେ । ଏବଂ ପରେ ପୋଲିସ ଖବର ପାଇବା ପରେ ସେମାନଙ୍କୁ ଉଦ୍ଧାର କରି ଗିରଫ କରିଛି ।
ପୋଲିସ ରିପୋର୍ଟ ମୁତାବକ, କିଛି ଦିନ ହେବ କେନ୍ଦ୍ରାପଡା ସଦର ଥାନା ଅଞ୍ଚଳରେ ଚୋରୀ ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲା । ଯେଉଁ କାରଣରୁ ସ୍ଥାନୀୟ ଲୋକ ସଚେତନ ହୋଇ ରହିଥିଲେ । ତେବେ ଗତକାଲି ରାତିରେ ଏହି ଗ୍ୟାଙ୍ଗ ଚୋର କରୁଥିବା ବେଳେ ଧରା ପଡିଯାଇଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣ ଖସି ପଳାଇଥିଲେ ।
ଧରା ପଡିଥିବା ଛୋଟ ଚୋରକୁ ଲୋକମାନେ ଗଛରେ ବାନ୍ଧି ପକାଇଥିଲେ । ଏବଂ ଦି ଚାରି ଚାପୁଡା ମାରିବା ପରେ ସବୁ ସତ କଥା କହିଥିଲା । ତା ସାଥୀ ଚୋରଙ୍କ ସନ୍ଧାନ ମଧ୍ୟ ଦେଇଥିଲା । ଏହାପରେ ସମସ୍ତଙ୍କ ଆଣି ସେହି ଗଛରେ ବାନ୍ଧି ବୁଦ୍ଧି ଶିଖେଇବା ପାଇଁ ଦି ଚାରି ଚାପୁଡା ମାରିଥିଲେ । ପରେ ପୋଲିସ ଖବର ପାଇବା ପରେ ଗାଁ ଲୋକଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରି ଗିରଫ କରିଛି ।