କେନ୍ଦୁଝର (ଏଟିଆର ବ୍ୟୁରୋ); ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ । ସ୍ତ୍ରୀକୁ ନେଇ ନିଜ ଭଉଣୀ ଘରକୁ ଯାଇଥିଲେ । କିନ୍ତୁ ସକାଳୁ ଦେଖିଲା ବେଳକୁ ମୃତ ଦେହ ନିଜ ଘର ବାରଣ୍ଡାରେ ପଡିଛି । ତେବେ ଯୁବକଙ୍କୁ କିଏ ଏବଂ କାହିଁକି ମାରିଲା ତାହା ସ୍ପଷ୍ଠ ହୋଇନାହିଁ । ମୃତ ଯୁବକ ହେଲେ ମଣ୍ଟିନ ଦାଶ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଫକୀରପୁର ଗାଁରେ ବୋଲି ଜଣା ପଡିଛି । ତେବେ ମଣ୍ଟିନଙ୍କୁ ତାଙ୍କ ଶ୍ୱଶୁର ଘର ଲୋକ ମାରି ଦେଇଛନ୍ତି ବୋଲି ମୃତକଙ୍କ ପରିବାର ଅଭିଯୋଗ ଆଣିଛନ୍ତି । ପୋଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଗତକାଲି ମାର୍କଣା ଯାଇଥିଲେ ସ୍ୱାମୀ ସ୍ତ୍ରୀ । ସେଠାରୁ ଫେରି ଆସିଥିଲେ । ତେବେ ତାଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ ସେମାନେ ସଂନ୍ଧ୍ୟା ପୂର୍ବରୁ ମାର୍କଣାରୁ ବାହାରି ପଡିଥିଲେ । ତେବେ ମଣ୍ଟିନ ନିଶାଶକ୍ତ ଥିଲେ । ସେମାନେ ରାତି ହୋଇଯିବାରୁ ଲଜରେ ରହିବା ପାଇଁ କଥା ହୋଇଥିଲେ । ଉଭୟ ଭଦ୍ରକରେ ସପିଂ ମଧ୍ୟ କରିଥିଲେ । ଏହାପରେ ମଣ୍ଟିନ ଆଉଥରେ ମଦ ପିଇବା ପାଇଁ ଯାଇଥିବାବେଳେ ପୋଲିସ ତାଙ୍କୁ ଧରିଥିଲା । ଏବଂ ପରେ ତାଙ୍କ ଶ୍ୱଶୁର ଆସିଥିଲେ । କିନ୍ତୁ ଏହାପରେ କଣ ହୋଇଛି ମୁଁ କହିପାରିବିନି ବୋଲି କହିଛନ୍ତି ତାଙ୍କ ସ୍ତ୍ରୀ ।
ତେବେ ସେ ଯଦି ଥାନାକୁ ଯାଇଥିଲେ ତେବେ ପୋଲିସ ମାଡରେ କଣ ତାଙ୍କର ମୃତ୍ୟୁ ହୋଇଛି କି? ନାଁ ଶ୍ୱଶୁର ଘର ଲୋକ ପୋଲିସ ପାଖରୁ ଆଣିବା ପରେ କୌଣସି କାରଣରୁ ଝଗଡା ହେବାରୁ ସେମାନେ ମାରି ଦେଇଛନ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ଉଠିଛି ସମସ୍ତଙ୍କ ମନରେ । ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।