ବଲାଙ୍ଗୀର (ଏଟିଆର ବ୍ୟୁରୋ); ମଙ୍ଗଳବାର ରାତିରେ ବଲାଙ୍ଗୀର ଟାଉନ ଥାନାର ଜଣେ କନେଷ୍ଟବଳ ବିଧବା ଆଦିବାସୀ ମହିଳାଙ୍କୁ ଟଣା ଓଟରା କରିଥିବାର ଅଭିଯୋଗ ହୋଇଥିଲା । ତେବେ ଖବର କାଗଜ ଏବଂ ଟିଭିରେ ଏହି ଖବର ପ୍ରସାରଣ ହେବା ପରେ ଏବେ ଏହାର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ଦବଙ୍ଗଗିରି କରିଥିବା କନେଷ୍ଟବଳ ଗିରଫ ହୋଇଛନ୍ତି । କନେଷ୍ଟବଳଙ୍କ ସହ ଅନ୍ୟଜଣେ ମଧ୍ୟ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କନେଷ୍ଟବଳ ଅଞ୍ଜନ ପ୍ରଧାନ ଏବଂ ବିକାଶ ଜୈନ ।
ଏହି ଘଟଣାକୁ ନେଇ ଗତକାଲିଠାରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା । କନେଷ୍ଟବଳଙ୍କ ଏହି ଦବଙ୍ଗଗିରିକୁ ସ୍ଥାନୀୟ ଅଞ୍ଚଳରେ ଘୋର ନିନ୍ଦା କରାଯାଇଥିଲା । ଏହି ଘଟଣାକୁ ତିବ୍ର ଅସନ୍ତୋଷ ଦେଖାଦେବା ପରେ ଆଜି ତାଙ୍କୁ ପୋଲିସ ଗିରଫ କରିଛି । ଟିକେ ବିଳମ୍ବ ହେଉ ବରଂ ପୋଲିସର ତତ୍ପରତା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ଜମିଜମା ମାମଲାର ଦଫାରଫା କରିବା ପାଇଁ କନେଷ୍ଟବଳ ବାବୁ ମଧ୍ୟସ୍ଥି ସାଜିଥିଲେ । ମହିଳାଙ୍କ ଦେଢ଼ଶୂର ଏକ ଜମିକୁ ବିକିବା ପାଇଁ ଚାହୁଁଥିବା ବେଳେ ସେ ବିକିବେ ନାହିଁ ବୋଲି ମନା କରିଥିଲେ । ତେବେ କନେଷ୍ଟବଳ ବାବୁ ମଧ୍ୟସ୍ଥି ସାଜି ଉଭୟଙ୍କୁ ବୁଝାଶୁଝା କରାଇ ପକେଟ ଗରମ କରିବା ପାଇଁ ଚେଷ୍ଟା କରିଥିଲେ । ମହିଳା ଜଣକ ରାଜି ନହେବାରୁ ତାଙ୍କ ପୁଅକୁ ଥାନାକୁ ଉଠାଇ ଆଣିଥିଲେ ।
ମହିଳା ଥାନାକୁ ଆସିବା ପରେ ତାଙ୍କୁ ମାଡ ମାରିବା ସହିତ ଟଣା ଓଟରା କରିଥିଲେ । ଏମିତିକି ସେ କଚେରୀ ଛକ ନିକଟରେ ଲୋକଙ୍କ ସାମନାରେ ମଧ୍ୟ ମାଡ ମାରିଥିଲେ । ସ୍ଥାନୀୟ ଯୁବକମାନେ ମହିଳାଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାକୁ ନେଇ ଉତ୍ତେଜନା ଦେଖା ଦେବାପରେ ଆଜି ପୋଲିସ ତାଙ୍କୁ ଗିରଫ କରିଛି ।