ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଧାନସଭାରେ ମନ୍ତ୍ରୀ ମରୁଡି । ଯାହାକୁ ନେଇ ପାନ ଦୋକାନରୁ ଆରମ୍ଭ କରି ଚା ଖଟି ସବୁଠି ଆରମ୍ଭ ହୋଇଛି ବିଭିନ୍ନ ଚର୍ଚ୍ଚା । ପାଟକୁରା ନିର୍ବାଚନ ଚାଲିଥିବାରୁ ଗୃହରେ ଉପସ୍ଥିତ ନରହି ପ୍ରଚାରରେ ମାତିଛନ୍ତି ବିଧାୟକ ଏବଂ ମନ୍ତ୍ରୀ । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି ମନ୍ତ୍ରୀଙ୍କ ପାଇଁ ପାଟକୁରା ନିର୍ବାଚନ ଜିତିବା ବଡ କଥା । ଗୃହ ଚାଲୁ କି ମୁଲତବୀ ରହୁ ତାଙ୍କର କିଛି ଯା ଆସ ନାହିଁ ।
ବିଭାଗୀୟ ମନ୍ତ୍ରୀଙ୍କ ବଦଳରେ ଉତ୍ତର ରଖୁଛନ୍ତି ଭାରପ୍ରାପ୍ତ ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବଦଳରେ ଯୋଜନା ଓ ସଂଯୋଜନା ବିଭାଗର ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିଛନ୍ତି । ସେହିପରି ଖାଦ୍ୟ ଯୋଗାଣ ଓ କୃଷି ବିଭାଗକୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିଥିଲେ ଅର୍ଥ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହାକୁ ନେଇ ଆଜି ବିରୋଧୀ ଗୃହରେ ଅସନ୍ତୋଷ ପ୍ରକାଶ କରିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ମହାପାତ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏ ନେଇ ଉଦବେଗ ପ୍ରକାଶ କରିଥିଲେ ।
ତେବେ ବିଧାନସଭା ଏଭଳି ଅବସ୍ଥା ଆଜି କି କାଲି ନୁହେଁ ବରଂ ଗତ ତିନି ଦିନ ହେଲା ମନ୍ତ୍ରୀଙ୍କ ଉପସ୍ଥାନ କମ ରହୁଥିବା ଦେଖିବାକୁ ମିଳୁଛି । ଗୃହକୁ ଆସୁନାହାନ୍ତି ଅଧାରୁ ଅଧିକ ବିଧାୟକ । ତେବେ ଯେଉଁ ମନ୍ତ୍ରୀମାନଙ୍କର ପ୍ରଶ୍ନୋତ୍ତର ଓ ଖର୍ଚ୍ଚଦାବି ଆଲୋଚନା ରହୁଛି, ସେମାନେ ଉପସ୍ଥିତ ରହୁଛନ୍ତି। ପାଟକୁରା ନିର୍ବାଚନ ପାଇଁ ସମସ୍ତେ ବ୍ୟସ୍ତ ଥିବାରୁ ଗୃହକୁ ଆସିପାରୁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଶାସକ ଦଳ ସଭ୍ୟ ଓ ମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ ବାହାରେ ବିରୋଧୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏପରିକି ପାଟକୁରା ନିର୍ବାଚନ ସରିବା ଯାଏ ଗୃହକୁ ମୁଲତବୀ ରଖାଯାଉ ବୋଲି ବିରୋଧୀମାନେ କଟାକ୍ଷ କରିଛନ୍ତି।