ଗଞ୍ଜାମ (ଏଟିଆର ବ୍ୟୁରୋ); କଥାରେ ଅଛି ଜ୍ୱାଇଁ କୁଣିଆଠାରୁ ବଡ ସମ୍ମାନ ଆଉ କିଛି ନାହିଁ । ଶ୍ୱଶୁର ଘର ଲୋକ ଜ୍ୱାଇଁକୁ ଭଲ ସମ୍ମାନ ଦିଅନ୍ତି । କିନ୍ତୁ ଏଭଳି ଏକ ଅଭିଯୋଗ ଆସିଛି କି ଜ୍ୱାଇଁକୁ ଶ୍ୱଶୁର ଛୁରାମାଡ କରି ଫେରାର ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଦିଗପହଁଣ୍ଡି ପୁଞ୍ଜିକୟାଁ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ସଂଜୟ ଗୌଡ ନାମକ ଜଣେ ଯୁବକଙ୍କୁ ତାଙ୍କ ଶ୍ୱଶୁର ଛୁରାମାଡ କରି ପଳେଇଛି । ସଂଜୟଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଗତକାଲି ସଂନ୍ଧ୍ୟାରେ ସଂଜୟ ଗାଁ ଛକ ନିକଟରେ ଛିଡା ହୋଇ କଥା ହେଉଥିଲେ । ଏହି ସମୟରେ ତାଙ୍କ ଶ୍ୱଶୁର ଆସି ଛୁରାମାଡ କରିଥିଲେ । କିଛି ଭାବିବା ପୂର୍ବରୁ ପେଟ ଏବଂ ମୁଣ୍ଡ କାଟି ପକାଇଥିଲେ । ସ୍ଥାନୀୟ ଲୋକ ଦୌଡି ଆସି ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେ ରାସ୍ତା ପାର ହୋଇ ଫେରାର ହୋଇଯାଇଥିଲା ।
ଏହାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକ ସଂଜୟଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ଏହାପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏଯାବତ ଥାନାରେ ଏନେଇ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଶୁଣିବାକୁ ମିଳିଛି । ସୂଚନାଯୋଗ୍ୟ, ସଞ୍ଜୟ ଗତ ଜୁନ୍ ୩୦ ତାରିଖରେ ତାଙ୍କ ଗ୍ରାମର ଜୟନ୍ତୀ ଗୌଡଙ୍କୁ ଶ୍ରୀ କାଶୀ ବିଶ୍ଵନାଥ ଶୈବ ପୀଠରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସେ ପତ୍ନୀଙ୍କ ସହ ଦିଗପହଣ୍ଡି ପୁଞ୍ଜିକଁୟା ଛକ ନିକଟରେ ଭଡ଼ା ଘରେ ରହୁଥିଲେ। ଆକ୍ରମଣର କାରଣ ଜଣାପଡିନଥିବା ପୋଲିସ କହିଛି।