କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ବହୁ ଚର୍ଚ୍ଚିତ ପାଟକୁରା ଆସନ ପାଇଁ ଆସନ୍ତାକାଲି ମତଦାନ ହେବ । ଏହି ନିର୍ବାଚନ ଉପରେ ରହିଛି ସମସ୍ତଙ୍କ ନଜର । ଏଠାରେ ୭ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ସମସ୍ତେ ନିଜର କଳ ଏବଂ ବଳ ଲଗାଇ ପ୍ରଚାର କରିଥିଲେ । ଗତକାଲି ସରିଛି ଶେଷ ପ୍ରଚାର । ବହୁ ବାଦ ବିବାଦ ମଧ୍ୟରେ ସରିଛି ପ୍ରଚାର । ତେବେ ଆଜିଠାରୁ ଲାଗୁ ହୋଇଛି ଆଚରଣ ବିଧି । ଆଉ କୌଣସି ଦଳ ଭୋଟରଙ୍କୁ ପ୍ରଲୋଭନ ଦେଖାଇ ପାରିବେ ନାହିଁ ।
ବିଜେଡି ପକ୍ଷରୁ ସାବିତ୍ରୀ ଅଗ୍ରୱାଲ ଏଠାରେ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ରାଜ୍ୟ ରାଜନୀତିର ପୁରୁଣା ଚେହେରା ବିଜୟ ମହାପାତ୍ର ମଇଦାନକୁ ଓହ୍ଲାଇଛନ୍ତି । କଂଗ୍ରେସ ପକ୍ଷରୁ ଜୟନ୍ତ ପ୍ରାର୍ଥୀ ହୋଇଛନ୍ତି । ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ବିଜେପି ଏବଂ ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ବିଧାୟକ ଏବଂ ମନ୍ତ୍ରୀମାନେ ଗୋଟିଏ ଗୋଟିଏ ୱାର୍ଡରେ ଅଡି ବସିଛନ୍ତି ।
ପାଟକୁରା ନିର୍ବାଚନ ସୁଚାରୁ ରୂପେ ହେବା ପାଇଁ ପ୍ରଶାସନ ଏବଂ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ସୁବିଧା କରାଯାଇଛି । ୩୦୯ଟି ବୁଥ୍ରେ ଭୋଟ୍ ଗ୍ରହଣ ହେବ। ଭୋଟ୍ ଗ୍ରହଣ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୪ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ଫୋର୍ସ (ଉଇଚୠ) ଯବାନଙ୍କୁ ମୁତୟନ କରାଯିବ। ଏହାସହ ସିସିଟିଭିର ମଧ୍ୟ ବ୍ୟବସ୍ଥା କରାଯାଇଛି। କାଲି ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।