ବାଲେଶ୍ୱର (ଏଟିଆର ବ୍ୟୁରୋ); ପୁଅଟିଏ ପାଇବା ପାଇଁ ବାପା ମା କେତେ ଓଷା ଉପାସ କରିଥାନ୍ତି । ଆଉ ପୁଅଟିଏ ହେଲାପରେ ତାକୁ ବଡ ମଣିଷ କରିବା ପାଇଁ ବାପା ମୁଣ୍ଡ ଝାଳ ତୁଣ୍ଡରେ ମାରି କଷ୍ଟ କରି ଚାଲନ୍ତି । କିନ୍ତୁ ସେଇ ପୁଅ ବଡ ହେଲା ପରେ ନିଜ ବାପାକୁ ମାରିଦେବ ବୋଲି କେହି କେବେ ଚିନ୍ତା କରି ନଥିବେ । କିନ୍ତୁ ଏଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି । ଜୟକୃଷ୍ଣ ମଲ୍ଲିକଙ୍କୁ ତାଙ୍କ ପୁଅ ଶରତ ମଲ୍ଲିକ ଅତି ନୃଂଶସ ଭାବରେ ହାଣି ଫେରାର ହୋଇଯାଇଛି । ପୋଲିସର ତଦନ୍ତ ଜାରି ।
ସୂଚନା ଅନୁଯାୟୀ, ଶନିବାର କୌଣସି କାରଣରୁ ବାପା ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । କିଛି ସମୟ ଉଭୟ ପାଟି ତୁଣ୍ଡ କରିଥିଲେ । କିନ୍ତୁ ଶରତର ମୁଣ୍ଡ କାହିଁକି ପୋକ କାମୁଡିଲା ସେ ଏକ ଧାରୁଆ ଅସ୍ତ୍ର ଧରି ଜୟକୃଷ୍ଣଙ୍କ ଉପରକୁ ଦୌଡିଥିଲା ହାଣିବା ପାଇଁ । ତେବେ ଯେତେ କଜିଆ ହେଲେ ମଧ୍ୟ ଜୟକୃଷ୍ଣ କେବେ ଭାବିନଥିଲେ କି ପୁଅ ତାଙ୍କୁ ହାଣିଦେବ । ଏଣୁ ସେ ସାହସ କରି ଛିଡା ହୋଇଥିଲେ ।
ତେବେ ପୁଅ ସମ୍ପର୍କ ଭୁଲିଯାଇ ହାଣିବାକୁ ଆରମ୍ଭ କରିଥିଲା । ହାତ,ବେକ ଏବଂ ଛାତିକୁ ହାଣି ପକାଇଥିଲା । ଘଟଣାସ୍ଥଳରେ ହିଁ ଜୟକୃଷ୍ଣଙ୍କ ମୃତ୍ୟୁ ହୋଇଥିଲା । ଗାଁଲୋକ ଦୌଡି ଆସିବାରୁ ଶରତ ଫେରାର ହୋଇଯାଇଛି । ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପୁଅ ହୋଇ ବାପାକୁ ହାଣିବା ଅତି ନିନ୍ଦନୀୟ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।