କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ବହୁ ଚର୍ଚ୍ଚିତ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ନିର୍ବାଚନ ମଣ୍ଡଳୀରେ ଗତକାଲି ମତଦାନ ସରିଛି । ତେବେ ଏଠାରେ ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ଉତ୍ତେଜନା ଲାଗି ରହିଛି । ଗତକାଲି ଭୋଟ ସରିବା ପରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା । ଭିଭିପାଟ ମେସିନ ରଖିବା ବେଳେ ଉତ୍ତେଜନା ଦେଖାଦେଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଷ୍ଟ୍ରଙ୍ଗ ରୁମ ହୋଇଥିବା ବେଳେ ଏଠାରେ ଭିଭିପାଟ ମେସିନ ଡିପୋଜିଟ କଲାବେଳେ ଉତ୍ତେଜନା ଦେଖାଦେଇଛି । ଭିଭିପାଟ ମେସିନ ସିଲ୍ ଖୋଲାଥିବା ଅଭିଯୋଗ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି ।
ପରିସ୍ଥିତି ଏପରି ଅସମ୍ଭାଳ ହୋଇଥିଲା ଯେ ପୋଲିଂ ଅଧିକାରୀ ବିଚିତ୍ର କୁମାର ଦାସ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ। ପରେ ପ୍ରଶାସନିକ ଅଧିକାରୀ, ନିର୍ବାଚନ କମିଶନଙ୍କ ଅଧିକାରୀ, ପୋଲିଂ ଅଧିକାରୀ ଏବଂ ଏଜେଣ୍ଟଙ୍କ ସମ୍ମୁଖରେ ଇଭିଏମ୍, ଭିଭିପାଟ୍ ଯାଞ୍ଚ ହୋଇଥିଲା। ଏହାପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ, ପାଟକୁରାରେ ୧୦ ଜଣ ପ୍ରାର୍ଥୀ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିଛନ୍ତି । ଗତକାଲି ୭୬ ପ୍ରତିଶତ ମତଦାନ ହୋଇଛି । ତେବେ ବିଜେପି ଏବଂ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ପୂର୍ବରୁ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଛି । ଉଭୟଙ୍କ ପ୍ରଚାରରୁ ମଧ୍ୟ ଏହା ବାରି ହେଉଥିଲା । ତେବେ ଆସନ୍ତା ୨୪ ତାରିଖ ଭୋଟର କାହା ଉପରେ କୃପା ଦୃଷ୍ଟି ପକାଇଛନ୍ତି ତାହା ଜଣା ପଡିବ ।