ରାୟଗଡା (ଏଟିଆର ବ୍ୟୁରୋ); ଅଧିକ ଟଙ୍କା ରୋଜଗାର କରାଇବାର ପ୍ରଲୋଭନ ଦେଖାଇ ଶ୍ରମିକଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା । ତେବେ କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ରାୟଗଡା ଷ୍ଟେସନରୁ ୨୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଜିଆରପି ଏବଂ ରାୟଗଡା ପୋଲିସ ମିଳିତ ଭାବରେ ଉଦ୍ଧାର କରିଛନ୍ତି । ଉଦ୍ଧାର ସମସ୍ତ ଶ୍ରମିକଙ୍କୁ ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳେ ଶ୍ରମିକ ମାନଙ୍କୁ ଚାଲାଣ କରାଯାଉଥିବା ଖବର କୌଣସି ବିଶେଷ ସୂତ୍ରରୁ ପୋଲିସ ଜାଣି ପାଇଥିଲା । ଏହାପରେ ଜିଆରପି ସହାୟତରେ ବିଳାସପୁର-ତିରୁପତି ଏକ୍ସପ୍ରେସରେ ନେଇ ଯାଉଥିବା ଶ୍ରମିକଙ୍କୁ ରାୟଗଡା ଷ୍ଟେସନରୁ ଉଦ୍ଧାର କରାଯାଇଛି । ଉଦ୍ଧାର ୨୭ ଶ୍ରମିକଙ୍କ ମଧ୍ୟରୁ ୧୮ ମହିଳା, ୨ ପୁରୁଷ ଓ ୭ ନାବାଳିକା ରହିଛନ୍ତି।
ଏହି ଶ୍ରମିକମାନେ ରାୟଗଡ଼ା ଜିଲ୍ଲାର ମୁନିଗୁଡା ଓ ଚନ୍ଦ୍ରପୁର ଅଞ୍ଚଳର। ଆନ୍ଧ୍ରପ୍ରଦେଶର ବିଭିନ୍ନ ଇଟାଭାଟି ଓ ଚିଙ୍ଗୁଡି ଫାର୍ମରେ କାମ କରାଇବାକୁ ସେମାନଙ୍କୁ ବିଳାସପୁର-ତିରୁପତି ଏକ୍ସପ୍ରେସ ଯୋଗେ ଚାଲାଣ କରାଯାଉଥିଲା।ତେବେ ବାରମ୍ବାର ଏଭଳି ଶ୍ରମିକମାନଙ୍କୁ ଚାଲାଣ କରାଯାଉଥିବାର ଅଭିଯୋଗ ଆସୁଛି । ଆଦିବାସୀ ଅଞ୍ଚଳର ଅଧିବାସୀମାନଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ଚାଲାଣ କରାଯାଉଛି । ପ୍ରତ୍ୟେକ ଦିନ ଏଭଳି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଧ୍ୟ ଦଲାଲମାନେ ଚେତୁ ନାହାଁନ୍ତି । ଏବଂ ଶ୍ରମିକ ଚାଲାଣ କରାଉଛନ୍ତି । ସବୁଠାରୁ ବଡ କଥା ହେଉଛି ଶିଶୁ ଶ୍ରମିକଙ୍କୁ ଚାଲାଣ କରିବା ।