କଟକ (ଏଟିଆର ବ୍ୟୁରୋ); କିଟ୍ କିଟ୍ ଅନ୍ଧାର ରାତିରେ ବୁଲୁଛନ୍ତି ବିଧାୟକ । ସାଇକୋ କିଲର ଭୟରେ ରହିଥିବା କଟକବାସୀଙ୍କୁ ଦେଉଛନ୍ତି ସାହସ । କଟକର ଦୁଇ ବିଧାୟକଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବହୁତ ପ୍ରଂଶସା କରାଯାଇଛି । ତେବେ ରାତି ଅଧରେ ଲୋକଙ୍କ ପାଖରେ ପହଁଞ୍ଚୁଥିବା ଏହି ବିଧାୟକ ହେଲେ କଟକ ଚୌଦ୍ୱାରର ନୂଆ ବିଧାୟକ ସୌଭିକ ବିଶ୍ୱାଳ ଏବଂ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଉଭୟ ରାତି ଅଧରେ ଯାଇ ଲୋକଙ୍କ ପାଖରେ ପହଁଞ୍ୁଥିବା ଦେଖିବାକୁ ମିଳିଛି ।
୪ ଦିନ ହେଲା କଟକ ସହରରେ ଖେଳି ଯାଇଛି ଆତଙ୍କ । କେହି ରାତି ଅଧରେ ଆସୁଛି ଆଉ ମାରି ଦେଇ ଚାଲି ଯାଉଛି । ତେବେ କିଏ ଏହି ସାଇକୋ କିଲର? ଯାହାକୁ ଧରିବା ପାଇଁ କମିଶନରେଟ ପୋଲିସର ନିଦ ହଜିଯାଇଛି । ରାତି ଅନିଦ୍ରା ହୋଇ ଘନ ଘନ ପେଟ୍ରୋଲିଙ୍ଗ କରୁଥିଲେ ସୁଦ୍ଧା ସେହି ସାଇକୋ କିଲର ପାକରେ ପହଁଞ୍ଚିବାକୁ ସକ୍ଷମ ହୋଇ ପାରି ନାହିଁ । ତେବେ ବିଧାୟକମାନେ ଲୋକଙ୍କୁ ସାହସ ଦେବା ପାଇଁ କଳି କନ୍ଦି ବୁଲି ବୁଲି ବୁଝାଉଛନ୍ତି । ସେ ରିକ୍ସାବାଲା ହୁଅନ୍ତୁ ବା ରାସ୍ତା କଡରେ ରାତି ବିତାଉଥିବା ଯାଯାବର ।
ପିଲାଙ୍କଠାରୁ ଆରମ୍ଭ କରି ସମସ୍ତେ ଏବେ କଟକରେ ଏହି ସାଇକୋ କିଲରକୁ ଭୟ କରୁଛନ୍ତି । କାରଣ ଅକାଳରେ ୪ଜଣଙ୍କ ଜୀବନ ନେଇ ଯାଇଛି । ରାତି ୯ଟା ପରେ ବାହାରକୁ ବାହାରିବା କଷ୍ଟ ହୋଇପଡ଼ୁଛି । ଛୋଟ ଛୁଆ ମାନଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଲୋକେ ମଧ୍ୟ ଭୟରେ ଜୀବତ ବିତାଉଛନ୍ତି । ଘନ ଅନ୍ଧକାରରେ ଖୋଜା ଚାଲିଛି ସାଇକୋ କିଲର । ଫୁଟପାଥରେ ଶୋଉଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । କଟକ ଡିସିପି ଆଖିଲଶ୍ୱର ସିଂ ମଧ୍ୟ ରାତି ତମାମ ସହର ସାରା ବୁଲି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଥିଲେ ।
ଅଜଣା ଦୁର୍ବୃତ୍ତ ଯୋଗୁଁ ଭୟରେ କାଳାତିପାତ କରୁଥିବା ଲୋକଙ୍କୁ ରାତି ରାତି ବୁଲି ସାହାସ ଦେଉଛନ୍ତି ଦୁଇ ବିଧାୟକ । ଦୁଇ ନେତା କଟକର ଗଳିକନ୍ଦି ଓ ରାସ୍ତା କଡରେ ରାତି କଟାଉଥିବା ଲୋକଙ୍କୁ ଆଶ୍ରୟ ସ୍ଥଳରେ ରାତିରେ ରହିବାକୁ ପରାମର୍ଶ ଦେବା ସହିତ ସଚେତନ କରାଇଛନ୍ତି । ଆସାମୀ ଖୁବ ଶୀଘ୍ର ଧରା ପଡିବ ବୋଲି ଡିସିପି ମଧ୍ୟ କହିଛନ୍ତି । କଟକର ରାଣୀହାଟ ଅଂଚଳରେ ଶିବା ଆଶ୍ରୟ ସ୍ଥଳରେ ବି କଟକ ଚୌଦ୍ୱାର ବିଧାୟକ ବୁଲି ନିରାଶ୍ରୟ ଲୋକଙ୍କୁ ସଚେତନ କରିବା ସହ ଡିସିପିଙ୍କୁ ଭେଟିଛନ୍ତି ।
ଅପରପକ୍ଷରେ ଆଶ୍ରୟସ୍ଥଳୀ ଉପରେ କିଛି ଅସାମାଜିକ ଲୋକ କବଜା କରି ରଖିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପୋଲିସ ଓ ପ୍ରଶାସନ ଏଦିଗରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଲୋକଙ୍କ ସହ ଆଲୋଚନା କରି ସହରରେ ଅଧିକ ସଂଖ୍ୟକ ସିସିଟିଭି ଲଗାଇବା ସହ ଏଂଟ୍ରି ପଏଂଟରେ ଅଧିକ ନଜର ରଖିବାକୁ ଦାବି କରିଛନ୍ତି ମୋକିମ୍ ।