ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଏଥରକ କମ କିରୋସିନ ପାଇବେ ହିତାଧିକାରୀ । ଅଢ଼େଇ ଲିଟର ବଦଳରେ ପାଇବେ ୨ ଲିଟର । ଅଗଷ୍ଟ ମାସରୁ ଏହା ଲାଗୁ ହେବ ବୋଲି ସୂଚନା ମିଳିଛି । ପୂର୍ବରୁ ଅଢେଇ ଲିଟର କିରୋସିନି ଦିଆଯାଉଥିବା ବେଳେ ଏବେ ଏହାକୁ ୨ ଲିଟରକୁ ହ୍ରାସ କରାଯାଇଥିବା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ସୂଚନା ଦେଇଛନ୍ତି । ୮ ବର୍ଷ ଆଗରୁ କେନ୍ଦ୍ର ଯେତିକି କିରାସିନ ଦେଉଥିଲା, ଏବେ ତାହା ପ୍ରାୟ ଅଧା ହୋଇଗଲାଣି।
ରାଜ୍ୟର ୪ଟି ଜିଲ୍ଲାରେ ବିନା କାର୍ଡଧାରୀଙ୍କୁ ଅଣ ରିହାତି ଦରରେ ଏହି କିରୋସିନ୍ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଏତଦ୍ ବ୍ୟତୀତ ସମସ୍ତ ଜିଲ୍ଲାପାଳଙ୍କୁ ଅଣ ରିହାତି କିରୋସିନ ଆବଶ୍ୟକତା ଜଣାଇବା ପାଇଁ ବିଭାଗ ତରଫର ଅନୁରୋଧ କରାଯାଇଛି । ଜିଲ୍ଲାପାଳଙ୍କ ତଥ୍ୟ ହସ୍ତଗତ ହେଲେ ଅଣ ରିହାତି କିରୋସନ୍ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ସେ ଆହୁରି କହିଛନ୍ତି ଯେ, ୨୦୧୧-୧୨ରେ ବାର୍ଷିକ ୪ ଲକ୍ଷ ୯୪୪ କିଲୋଲିଟର ଆଲଟମେଣ୍ଟରୁ ଖସି ତାହା ୨୦୧୯-୨୦ରେ ୨ ଲକ୍ଷ ୯ କିଲୋଲିଟରରେ ପହଞ୍ଚିଛି। ଜୁଲାଇ ୨୦୧୯ ସୁଦ୍ଧା ମାସିକ ୨୦ ହଜାର ୭୦୦ କିଲୋଲିଟର କିରାସିନି ଯୋଗାଉଥିଲା କେନ୍ଦ୍ର। ହେଲେ ଏବେ ତାହା ମାସିକ ୧୬ ହଜାର ୩୮୪ କିଲୋଲିଟରକୁ ଖସି ଆସିଛି। ସେହିଭଳି କଟକ, ଖୋର୍ଦ୍ଧା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ଅଣ ରିହାତି କିରୋସିନ୍ ଆଶ୍ୟକତା ନେଇ ତାଲିକା ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।