ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋଟର ଯାନ ସଂଶୋଧନ ବିଧେୟକ-୨୦୧୯ ବୁଧବାର ରାଜ୍ୟସଭାରେ ପାସ୍ ହୋଇଯାଇଛି । ରାଷ୍ଟ୍ରପତିଙ୍କ ମଞ୍ଜୁର ପରେ ଏହି ବିଲ୍ ଆଇନ ସମତ ହୋଇଯାଇଛି । ବିଲ୍ ପାସ୍ ହେବା ପରେ ଏହାକୁ ଅଗଷ୍ଟ ମାସରୁ ଲାଗୁକରାଯିବ ବୋଲି ଆଶା କରାଯାଉଛି । ଭୁଲ ଗାଡି ଚାଳକଙ୍କୁ ବଡ ଆକାରରେ ଜରିମନା ଭରିବାକୁ ପଡିବ । ଏହାସହିତ ଜେଲ ଯିବାକୁ ବି ପଡିପାରେ ।
ସଡକ ସୁରକ୍ଷା ଏବଂ ବର୍ଦ୍ଧିତ ଦୁର୍ଘଟଣାକୁ ରୋକିବା ପାଇଁ ଏହି ବିଲ୍ ପାସ୍ କରାଯାଇଛି । ଏଥିପାଇଁ ସରକାର ବଡ ଜରିମାନା ଲଗାଇ ଲୋକଙ୍କ ମଧ୍ୟରେ ନିୟମର ଅନୁଶାସନ ଆଣିବାକୁ ଚାହୁଁଛନ୍ତି । ଏହି ନୂତନ ଆଇନ ଦେଶର ୩୦ ବର୍ଷ ପୁରୁଣା ପରିବହନ ଆଇନରେ ବଡ ପରିବର୍ତ୍ତନ ଆଣିବ ।
ନୂତନ ମୋଟର ଯାନ ଆକ୍ଟ ରେ ଗାଡି ବନାଉଥିବା କମ୍ପାନୀ ଏବଂ ସଡକ ନିର୍ମାଣ କରୁଥିବା ଠିକାଦାର ଦାୟୀ ହେବେ । ଗାଡି ନିର୍ମାଣରେ ଗଡବଡ ଦେଖାଯିବା ପରେ ଗାଡି ତିଆରି କରୁଥିବା କମ୍ପାନୀ ଉପରେ ୧୦୦ କୋଟି ଟଙ୍କା ଜରିମାନାର ପ୍ରାବଧାନ ରହିଛି । ଏହାସହିତ ଖରାପ ସଡକ ନିର୍ମାଣକୁ ନେଇ ଠିକାଦାର ଉପରେ ଏକ ଲକ୍ଷ୍ୟ ଟଙ୍କା ଜରିମନା କରାଯାଇଛି ।
ସେପଟେ ନୂତନ ମୋଟର ଯାନ ଆଇନ ଅନୁଯାୟୀ ଡ୍ରାଇଭିଂ ଲାଇସେନ୍ସ ଏବଂ ମୋଟର ଯାନ ପଞ୍ଜିକୃତ ପାଇଁ ଆଧାରକାର୍ଡ ଅନିବାର୍ଯ୍ୟ । ବିନା ହେଲମେଟ୍ ଗାଡି ଚଲାଇଲେ ୧ ହଜାର ଏବଂ ଓଭର ଲୋଡିଂ ପାଇଁ ୨ ହଜାର ଟଙ୍କା ଦେବାକୁ ପଡିବ । ଯଦି କୌଣସି ନାବାଳକ ଗାଡି ଚଳାଇବା ବେଳେ ଦୁର୍ଘଟଣାର ଶିକାର ହୋଇ ଧରା ପଡନ୍ତି ତେବେ ଅଭିଭାବକ ୨୫ ହଜାର ଟଙ୍କା ଜରିମାନା ଗଣିବା ସହ ୩ ମାସ ଯାଏଁ ଜେଲ ଦଣ୍ଡ ଭୋଗିବେ । ସଡକ ନିୟମ ଉଲଂଘନ ଉପରେ ୫ହହ ଟଙ୍କାରୁ ବଢାଯାଇ ୨୦୦୦ ଟଙ୍କ କରାଯାଇଛି । ସେହିପରି ବିନା ଲାଇସେନ୍ସରେ ଗାଡି ଚାଳାଇଲେ ଜରିମାନା ୫୦୦ ରୁ ବଢାଇ ୫୦୦୦ କରାଯାଇଛି । ବିନା ପରମିଟ୍ ରେ ଚାଲାଇବା ପାଇଁ ଜରିମାନା ୫୦୦୦ ରୁ ବଢାଇ ୧୦୦୦୦ କରାଯାଇଛି । ସିଟ୍ ବେଲ୍ଟ ନଲଗାଇଲେ ଜରିମାନା ୧୦୦ ଟଙ୍କାରୁ ବଢାଇ ୧୦୦୦ ଟଙ୍କା କରାଯାଇଛି । ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଗାଡି ରାସ୍ତା ନଛାଡିଲେ ୧୦ ହଜାର ଟଙ୍କାର ଜରିମାନା ଏବଂ ୬ ମାସ ଜେଲ୍ ଭୋଗିବେ । ଏଭଳି ଅନେକ ନିୟମମାନ ରହିଛି ।