ରାଗ ତମ ତମ ହୋଇ ବସ୍ତାନୀକି ଫିଙ୍ଗିଦେଇ ପିଣ୍ଡା ଉପରେ ବସିପଡିଲା ଚଇତା, କହିଲା ମା ମୁଁ ଆଉ ସ୍କୁଲ୍ କୁ ଯିବିନି । ଗଣେଶ ପୂଜା ୨ ଦିନ ରହିଲା ହେଲେ ତୁ ଚାନ୍ଦା ଦଉନୁ କାହିଁକି ? ସାର୍ ମୋତେ ସବୁଦିନେ ଛିଡା କରିଦେଉଛନ୍ତି । ମୁଁ ଆଉ ସ୍କୁଲ୍ କୁ ଯିବିନି। ତୁ ସବୁବେଳେ କହୁଛୁ କାଲି ଦେବି, କାଲି ଦେବି ହେଲେତୁ ଦଉନୁ କାହିଁକି ମା….
ଭାଦ୍ରବ ମାସ ନିଗିଡା, ବାପ ତୋ ବିମାରିରେ ବିଛଣା ଧରି୍ଲା ମୋ ଦେହରେ ତ ତାତି ଭରିଛି କେଉଁଠୁ ତୋତେ ପଇସା ଦେବି ତୁ ସ୍କୁଲ୍ କୁ ଚାଲିଜା ମୁଁ ତୋତେ ଦାସ ବାବୁଙ୍କ ଘରୁ ପଇସା ଆଣି କାଲି ଦେଇଦେବି ତୁ ଆଜି ସ୍କୁଲ୍ ଯା । ମନକୁ ବୁଝାଇ ବସ୍ତାନୀ କୁ କାନ୍ଧରେ ପକାଇ ସ୍କୁଲ୍ ଚାଲିଗଲା ଚଇତା
। ସ୍କୁଲ୍ ରୁ ଆସିଲା ବେଳକୁ କେଉଁଠି ଥିଲା କେଜାଣି କଳାହାଣ୍ଡିଆ ମେଘଟା ବରକୋଳିଆ ଟୋପାରେ ବର୍ଷିବାରେ ଲାଗିଲା ଆଉ ତା ସାଙ୍ଗକୁ ଘଡଘଡି ମାରି କାନ ତଡା କରି ଦେଉଥାଏ । ଯାହାହେଉ ଦେହ ସିନା ଓଦା ଦୋକାନ ବାରନ୍ଦା ଟା ପାଇଁ ରକ୍ଷା ପାଇଗଲା ବସ୍ତାନି । ମା ଆଜି ବହୁତ ମାରିବ କହିବ ଆଉ ଅଧ ଘଣ୍ଟା ସ୍କୁଲ୍ ରେ ରହିଥିଲେ ହୋଇ ନଥାନ୍ତା ବର୍ଷାରେ ଭିଜିଲୁ ଜ୍ବର ହେଲେ କିଏ ବୁଝିବ ଯେ । ଦୈଡି ଦୈଡି ଚୁପକିନା ଆସି ବାରିପଟ ଦ୍ବାର ବାଟେ ଘରକୁ ପସିଲା….. ଭିଜା ଲୁଗା କୁ ସୁଖାଇ ଦେଲା । ୨ ଦିନ ପରେ ଗଣେଶ ପୂଜା , ବାପା ବିଛଣା ରେ ସୋଇଛନ୍ତି ସେ ଭଲ ଥିଲେ ମୋର ନିହାତି ନୂଆ ସାର୍ଟ ହୋଇ ଥାଆନ୍ତା । ଛାଡ….. ମା…ମା ବୋଲି ଡାକଛାଡିଲା, କିନ୍ତୁ ମାଁ ଶୁଣିଲେନି , ମା ବୋଧହୁଏ ଦାସ ବାବୁଙ୍କ ଘରକୁ ଜାଇଛନ୍ତି।
ଭିତର ଘର ଭିତରକୁ ଗଲା ୨ରୁ୩ଟା ଟିଣ ବାକ୍ସ ଓହ୍ଲାଇ ୨ବର୍ଷ ତଳେ ମାମୁଁ ଘର ଦେଇଥିବା ନୂଆଁ ସାର୍ଟ କାଢିଲା ମନେ ମନେ ଖୁସି ହେଲା ଏଇଟାକୁ ପିନ୍ଧି ପୂଜାରେ ଖୁବ ବୁଲିବି । ଚଟାପଟ୍ ରଖିଦେଇ ଥକାହୁଆ ଶରୀର ରେ ସୋଇପଡିଲା ଚଇତା।
କିଛି ସମୟ ପରେ କବାଟ ଠକ୍ ଠକ୍ ହେଲା କେହିଜଣେ ଆସି ଡାକ ଛାଡିଲା ଚଇତା ତୋ ମା ଆସିଲେଣି ଉଠ୍ ଚଇତା । ନିଦଭରା ଆଖିରେ ମନକୁ ବୁଝେଇ ଦେଇ ଉଠିକି ବସିଲା ଆଜି ମା ତାକୁ ଗଣେଶ ପୂଜା ଚାନ୍ଦା ଦବ । କାଲି ସେ ମନିଟର ମୁହଁରେ ମାରି କହିବ ମୁଁବି ଚାନ୍ଦା ଦେଇ ଦେଇଛି । ଧିରେ ଧିରେ କୋଳାହଳ ବଢିବାରେ ଲାଗିଲା ବସି ଥିବା ଜାଗାରୁ ଧଡକିନା ଉଠି ଦେଖେତ ଲୋକଙ୍କ ଭିଡ ଲାଗିଛି ।
ଭାରି ଡର ଲାଗୁଥାଏ, ଆଜି ମୁଁ ତ କାହାରି କିଛି କରିନି , ମାନସ ଭାଇ କୁ ମାଗିକି ଗୋଟିଏ ପିଜୁଳୀ ଖାଇଥିଲି ସେ ପୁଣି ଏଠି କଣ କରୁଛି। ମୁଁ ଯାଇ ସିଧା ସିଧା କହିଦେବି ମା ଏମାନେ ସମସ୍ତେ ମିଶି ମିଛ କହୁଛନ୍ତି। ଧିରେ ଧିରେ ଆଗକୁ ଆସି ଭିଡ ଆଡେଇ ଦେଖେ ତ ମା ଚୁପ ଚାପ୍ ସୋଇଛି । କାହାରିକୁ କିଛି କହୁନି ମା, କଣ ହୋଇଛି ମୋ ମାର କେହି କିଛି କହୁନ କାହଁକି …. ଆଖିକୁ ଛଳ କରି ଡାକିବାରେ ଲାଗିଲା ମା ତୁ ଉଠୁନୁ କାହିଁକି ତୋର କଣ ହୋଇଛି …… ଆଜିତୁ ଗଣେଶ ପୂଜା ଚାନ୍ଦା ନ ଦେଲେ ମୁଁ ସ୍କୁଲ୍ ଯିବିନି ମାଁ ଉଠ୍ ମାଁ ଉଠ୍। କେହି ଜଣେ ପଛରୁ କହିଲା
ତୋ ମା ଦାସ ବାବୁଙ୍କ ର ଙ୍କ ବିଲକୁ କାମରେ ଯାଇଥିଲା ଘଡଘଡି ମାରିଦେଲା ଆଉ ତୋର ମା ମରିଗଲେ । କାନକୁ ବିଶ୍ବାସ କରି ପାରୁନଥାଏ ଚଇତା ଆଖିରୁ ଲୁହର ଧାରା ବି ବୋଲ ମାନୁନଥାଏ ।
ଖାଲି ଜୋର ଜୋର ସେ ଚିଲାଇ କହୁଥାଏ ମୁଁ ମୋ ମା କୁ ମାରିଦେଲି । ମା କୁ ହଲାଇ ହଲାଇ କହୁଥାଏ ମା ଉଠ୍ ମା…. ସାର୍ ଛିଡା କରାନ୍ତୁ ପଛକେ ତୋତେ ଆଉ ଗଣେଶ ପୂଜା ଚାନ୍ଦା ମାଗିବିନି…….
ରାଜେଶ କୁମାର ବାରିକ୍
ଦେବେନ୍ଦ୍ର ପୁର, ଅଭଣା, ବାଲେଶ୍ବର
ମୋ ୯୯୯୮୬୨୨୩୩୬
ଆମକୁ ଲେଖା ପଠାଇବା ପାଇଁ – atr.amasahitya@gmail.com ଯୋଗାଯୋଗ – 9937774475