ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏବେ ରାଜ୍ୟରେ ବର୍ଷାର ପରିମାଣ ବଢିଛି । ଯାହାର ପ୍ରଭାବରେ ପଶ୍ଚିମ ଓଡିଶାରେ ଜନ ଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇ ପଡିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେଉଥିବାରୁ ରାଜ୍ୟରେ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଟ୍ରାକରେ ପାଣି ଜମି ରହିଥିବାରୁ ଅନେକ ଟ୍ରେନ ଅଧା ବାଟରେ ଅଟକି ରହିଛି । ଏହି ବର୍ଷାରେ ସମ୍ବଲପୁର ବେଶି ପ୍ରଭାବିତ ହୋଇଛି । ସମ୍ବଲପୁର ଓ ଟିଟଇଲାଗଡ ସେକ୍ସନରେ ବରଗଡ ଓ ଦେଓଗାଁ ରୋଡରେ ବର୍ଷା ପାଣି ଜମି ରହି ଥିବାରୁ ଉକ୍ତ ଲାଇନରେ ଟ୍ରେନ ଚଳା ଚଳକୁ ବନ୍ଦ ରଖା ଯାଇଛି ।
ବରପାଲିଠାରେ ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ୍ ଏବଂ ଲୋଇସିଙ୍ଗାଠାରେ ଆଜମେର-ପୁରୀ ଏକ୍ସପ୍ରେସ୍ ,ଡୁଙ୍ଗୁରିପାଲିଠାରେ ଇସ୍ପାତ ଏକ୍ସପ୍ରେସ୍ ଅଟକି ରହିଛି । ବରଗଡ ଟିଟିଲାଗଡ ସେକ୍ସନରେ ମଧ୍ୟ ତେକେକ ଟ୍ରେନ ଲଗାଣ ବର୍ଷା କାରଣରୁ ଅଟକି ରହିଛି । ତେବେ ଏ ନେଇ ରେଲୱେ କହିଛି ବର୍ଷାର ପରିମାଣ କମିଲେ ଓ ଟ୍ରାକରୁ ପାଣି ଖସିଲେ ପୁଣି ରେଳ ଚଳାଚଳ ସ୍ୱାଭାବିକ ହେବ ।
ଅନ୍ୟପଟେ ପ୍ରବଳ ବର୍ଷା ଓ ତେଲ ନଦୀରେ ଜଳସ୍ତର ବଢୁଥିବାରୁ ବଲାଙ୍ଗୀର ଜିଲ୍ଲା ଏକ ପ୍ରକାର ବେହାଲ ହୋଇ ପଡିଛି । ବଲାଙ୍ଗୀର ସହର ଏକ ପ୍ରକାର ଜଳବନ୍ଦୀ ହୋଇ ରହିଛି । ସହରର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯାହା ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୁଡଭେଲା ବ୍ଲକର ପାଖାପାଖି ୨୦ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।