ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଇଣ୍ଡିଗୋ ବିମାନ । ନାଗପୁର ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନ ୬ଇ ୬୩୬ ରେ ଯାନ୍ତ୍ରିକ ତୃଟି ଯୋଗୁଁ ରନୱେ ରେ ଅଟକା ଯାଇଛି । ଏହାସହିତ ବିମାନରେ ବସିଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି । ସବୁଠାରୁ ବଡ କଥା ହେଉଛି ଏହି ବିମାନରେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକରୀ ମଧ୍ୟ ଥିଲେ ।
ଇଣ୍ଡିଗୋ ୬ଇ ୬୩୬ ବିମାନଟି ଉଡାଣ ଭରିବା ପାଇଁ ରନୱେରେ ଗଡୁଥିବା ସମୟରେ ଯାନ୍ତ୍ରିକ ତୃଟି ଥିବା ନେଇ ଅଚାନକ୍ ଖବର ମିଳିଥିଲା । ଏହାପରେ ବିମାନକୁ ଟେକଅଫ୍ ନକରିବା ନିଷ୍ପତି ପାଇଲଟ ନେବା ସହ ସୁରକ୍ଷା ପାଇଁ ବିମାନରୁ ଯାତ୍ରୀମାନଙ୍କୁ ଓହ୍ଲାଇବା ଲାଗି କହିଥିଲେ । ଏଥିରେ କାହାରି କୌଣସି ପ୍ରକାରର କ୍ଷତି ହୋଇ ନାହିଁ ।
ଦିଲ୍ଲୀରେ ୧୧ ବେଳେ ହେବାକୁ ଥିବା କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ସାମିଲ ହେବା ଲାଗି କେନ୍ଦ୍ରୀୟ ମନ୍ତ୍ରୀ ନୀତିନ୍ ଗଡକରୀ ଏଥିରେ ଯାତ୍ରା କରୁଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ କ୍ୟାବିନେଟ ବୈଠକ ଡକାଯାଇଥିଲା । ମାତ୍ର ବିମାନର ଯାନ୍ତ୍ରିକ ତୃଟି ଯୋଗୁଁ ଶେଷ ମୁହୁର୍ତ୍ତରେ ବୈଠକରେ ସାମିଲ ହୋଇ ହେବା ଗଡକରୀଙ୍କ ପାଇଁ କଷ୍ଟକର ହୋଇ ପଡିଥିଲା ।