ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପ୍ରକୃତି ସାଧୁଛି ଦାଉ । ବଢୁଛି ବର୍ଷା । ବେହାଲ ପଶ୍ଚିମ ଓଡିଶା । ପଶ୍ଚିମ ଓଡିଶାର ୫ ଜିଲ୍ଲାରେ ବନ୍ୟା । ଏହି ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ପ୍ରଭାବିତ ୫ ଜିଲ୍ଲା ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, କନ୍ଦମାଳ ଏବଂ ସୋନପୁର ଜିଲ୍ଲାପାଇଁ ରିଲିଫ ଘୋଷଣା କରିଛନ୍ତି । ଏହି ସବୁ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ୭ ଦିନ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ ବନ୍ୟା ପ୍ରଭାବିତ ପ୍ରତ୍ୟେକ ପ୍ରାପ୍ତ ବୟସ୍କଙ୍କୁ ୬୦ଟଙ୍କା ଏବଂ ଛୋଟ ପିଲାଙ୍କୁ ଦୈନକୁ ୪୫ଟଙ୍କା ରିଲିଫ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅନ୍ୟପଟେ ଆଜି ପ୍ରଥମ କରି ବନ୍ୟାଜଳ ନିସ୍କାସନ ପାଇଁ ହୀରାକୁଦ ଗେଟ ଖୋଲାଯିବ । ତେବେ ହୀରାକୁଦ ଗେଟ ଖୋଲା ହେଲେ ମହାନଦୀରେ ଜଳ ସ୍ତର ବଢିବ ।
ଯାହାଫଳରେ ଉପକୂଳ ଓଡିଶାର କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି । ୧୫ତାରିଖ ସକାଳ ସୁଦ୍ଧା ମହାନଦୀରେ ୧୧ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବ। ଏଥିଲାଗି କଟକ, ଜଗତସିଂହପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଲର୍ଟ କରାଯାଇଛି । ଏସବୁ ଜିଲ୍ଲାଗୁଡ଼ିକରେ ନଦୀବନ୍ଧ ଗୁଡ଼ିକର ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।