କଟକ ( ଏଟିଆର ବ୍ୟୁରୋ): ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟା ଜଳ ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳିରେ ୬ଲକ୍ଷ ୭୪ହଜାର ୬୨୪କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି। ଏହି ଜଳ ମୁଣ୍ଡଳିରେ ପହଞ୍ଚିବା ପରେ କଟକକୁ ଘେରି ରହିଥିବା ଦୁଇ ନଦୀ କାଠଯୋଡି ଏବଂ ମହାନଦୀର ଜଳସ୍ତର ବଢୁଛି । କଟକ ଜିଲ୍ଲା ଆଠଗଡ ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ତେଣୁ ନଦୀକୂଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ। ଚଷାଆଁରା ଗାଁରେ ବନ୍ୟାଜଳ ପସିଥିବା ଯୋଗୁଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ୬ କିଲୋମିଟର ଲାଗି ଗାଁ ଚାରିପଟେ ବନ୍ୟାଜଳ ଲାଗିରହିଛି । ୬ ଶହ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଗାଈନାଳ ଉପରେ ଚାଲିଛି ବନ୍ୟାଜଳ ।
ତିଗିରିଆ ଓ ବାଙ୍କିର ୮ ଗୋଟି ପଂଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ନଦୀ ଜଳସ୍ତର ଉପରେ ନଜର ରଖିଛି। ଅପରପଟେ ସିଏମସି କମିଶନର କହିଛନ୍ତି ନଦୀକୂଳରୁ ହଟାଯାଇଥିବା ଲୋକଙ୍କୁ ଏବେଠାରୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ତେବେ କଟକରେ ଏହି ବନ୍ୟାଜଳ ବିଶେଷ କିଛି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ପ୍ରଶାସନ ଆକଳନ କରିଛି। ସିଏମସି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ଥିବା କମିଶନର କହିଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ପ୍ରବେଶ କରିଛି ମହାନଦୀର ବନ୍ୟା ଜଳ । ବନ୍ୟା ଫଳରେ ଏକର ଏକର ଚାଷ ଜମି ଜଳ ମଗ୍ନ ହୋଇଛି। ବ୍ଲକର ଖୁରୁଷିଆ, ପାଟୁଳିପଙ୍କ, ତିକ୍ଷିରି, ଟିକରପଙ୍କା, ଅମେଇପାଳ ପଞ୍ଚାୟତରେ ଥିବା ଚାଷ ଜମିରେ ଚାରିଫୁଟ ଉଚ୍ଚର ପାଣି ଜମିଛି ।