ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇ ପଡିଛି । ଉପର ମୁଣ୍ଡରେ ମାତ୍ରାଧିକ ବର୍ଷା ହେବା ଫଳରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି ବଲାଙ୍ଗୀର, ସମ୍ଭଲପୁର ଅଞ୍ଚରେ । ତେବେ ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ । ଏନେଇ ଗତକାଲି ସୂଚନା ଦେଇଥିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।
ସୂଚନା ଅନୁସାରେ ଆଜି ଶ୍ରୀ ପ୍ରଧାନ ବଲାଙ୍ଗୀର ଜିଲ୍ଲାର ପୁଇଁତଳା, ବଲାଙ୍ଗୀର ବ୍ଲକ, ବଲାଙ୍ଗୀର ଟାଉନ୍, ଦେଓଗାଁ ବ୍ଲକ ସେହିଭଳି କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା, ଜୁନାଗଡ଼, ଏମ୍ ରାମପୁର, କର୍ଲାମୁଣ୍ଡା, ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ସୋନପୁର ଜିଲ୍ଲାର ତରଭା ବ୍ଲକ୍ ଓ ତରଭା ଏନଏସି ବୁଲି ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମଳିଛି । ତେବେ ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁସାରେ ବଲାଙ୍ଗୀର ଗସ୍ତ ପରେ ବଲାଙ୍ଗୀରରେ ଏକ ବନ୍ୟା ସମୀକ୍ଷା ନେଇ ବୈଠକ ଅନୁଷ୍ଠିତ ହେବ ।
ଜିଲ୍ଲା ସିଡିଏମଓ ଅଫିସ ଏନଏଚଏମ୍ କନଫରେନ୍ସ ହଲରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପ୍ରଭାବିତ ଅଞ୍ଚଳର ବିଧାୟକ , ସାଂସଦ ମାନେ ଉପସ୍ଥିତ ରହିବେ । ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା , କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ରହିବେ ।