ଅନୁଗୁଳ(ଏଟିଆର ବ୍ୟୁରୋ): ଲଗାତର ଭାବେ ଦୁଇ ଦୁଇ ଥର ଆଖି ଗାଏବ ହେବା ଘଟଣା ପରେ ବିବାଦ ଘେରକୁ ଆସିଥିଲା ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ । ଯାହାକୁ ନେଇ ଦେଖାଦେଇଥିଲା ତୁମ୍ବିତୁଫାନ । ଏହି ଘଟଣା ମନରୁ ଲିଭି ନଥିବା ବେଳେ ଏବେ ପୁଣି ଥରେ ଲୋକଙ୍କ ଟାର୍ଗେଟକୁ ଆସିଛି ମୁଖ୍ୟ ଚିିକିତ୍ସାଳୟ । ଅଭିଯୋଗ ହୋଇଛି କି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ଯୋଗୁ ଗୋଟିଏ ପରେ ଗୋଟିଏ ସମସ୍ୟା ମୁଣ୍ଡ ଟେକୁଛି । ଏବେ ଶବ ଗୃହରେ ଶବ ରଖିବାକୁ ନେଇ ହସ୍ପିଟାଲକୁ ଘେରିଛନ୍ତି ଲୋକେ ।
ସୂଚନା ଅନୁଯାଇ ଗତକାଲି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଚାନ୍ଦପୁର ଗ୍ରାମର ଗଙ୍ଗାଧର ସେନାପତି(୪୫) ବାଇକ୍ରେ ଆସୁଥିବା ବେଳେ ତାଙ୍କୁ ଏକ ସ୍କର୍ପିଓ ଧକ୍କା ଦେଇଥିଲା । ଗଙ୍ଗାଧରଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଚିକିତ୍ସାଳୟ ଅଣାଜାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ସେହିଭଳି ଅନୁଗୁଳ ଜିଲ୍ଲା ନାଲେକାନଗର ଥାନା ଗିରାଙ୍ଗ ଗ୍ରାମର ସୁବାସ ନାୟକ(୩୦) ଗତ ଗୁରୁବାର ଦିନଠାରୁ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ଗତକାଲି ରାତିରେ ହେଇଥିଲା । ମୃତ୍ୟୁ ଶରୀର ଦ୍ୱୟକୁ ଶବ ସଂରକ୍ଷଣ ଗୃହରେ ରଖିବା ବଦଳରେ ଡାକ୍ତରଖାନା ବାରଣ୍ଡାରେ ପକାଇ ଦିଆଯାଇଥିଲା । ଡାକ୍ତରଖାନାର କର୍ତ୍ତୃପକ୍ଷ ପୋଲିସକୁ ଫୋନ କରି ନିଜ କାମ ସାରି ଦେଇଥିଲେ । ଏହାର କିଛି ସମୟରେ ଜଣେ ପୋଲିସ ଆସି ଶବ ଦୁଇକୁ ଶବ ସଂରକ୍ଷଣ ଗୃହ ପାଖକୁ ଆଣିବାକୁ ପରିବାର ଲୋକଙ୍କୁ କହିଥିଲେ । ଶବ ଦୁଇକୁ ବାରଣ୍ଡାରେ ରଖିଲା ପରେ ସେଠାରେ ପରିବାର ଲୋକଙ୍କୁ ଜଗି ରହିବାକୁ କହି ଦେଇ ସେଠାରୁ ପଳାଇ ଯାଇଥିଲେ ।
ଏହାକୁ କେନ୍ଦ୍ର କରି ଆଜି ସକାଳେ ଚିକିତ୍ସାଳୟ ପରିସରରେ ଉତ୍ତଜେନା ଦେଖାଯାଇ ଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଦ୍ୱୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ରାତିସାରା ଶବ ଦୁଇଟି ବାରଣ୍ଡାରେ ପଡି ରହିଥିବା ଘଟଣା ବିଷୟରେ ଏଡିଏମ୍ଓ ଡାକ୍ତର ଲକ୍ଷ୍ମୀନାରାୟଣ ବିଶୋଇଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଦୁଇ ଜଣଙ୍କ ମୃତ୍ୟୁ ଗତକାଲିି ବିଳମ୍ବିତ ରାତିରେ ହୋଇଥିଲା । ଏନେଇ ସେ ପୋଲିସଙ୍କୁ ଜଣାଇ ଦେଇଥିଲେ । ପୋଲିସ ଶବ ଦୁଇକୁ ନେଇ ଶବ ସଂରକ୍ଷଣ ଗୃହରେ ନରଖି ବାରଣ୍ଡାରେ ପକାଇଦେଇ ଚାଳିଯାଇଥିଲା । ଅନ୍ୟପକ୍ଷେ ଜିଲ୍ଲା ମୁଖ୍ୟ ଚିକିସାôଳୟରେ ପୋଲିସ ଫାଣ୍ଡି କାର୍ଯ୍ୟକ୍ଷମ କରିବା ପାଇଁ ବାରମ୍ବାର ଦାବି ହୋଉଥିଲେ ମଧ୍ୟ ପୋଲିସ ପ୍ରସାଶନ ନିରବ ରହିଛି ।