ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ କଂଗ୍ରେସକୁ ଦିଲ୍ଲୀରୁ ଡାକରା । ରାଜ୍ୟ କଂଗ୍ରେସର ହୋଇପାରେ ନବକଳେବର । ରାଜ୍ୟ କଂଗ୍ରେସକୁ ମଜବୁତ କରିବା ପାଇଁ ରାଜ୍ୟର ପ୍ରମୁଖ କଂଗ୍ରେସ ନେତା ମାନଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ନୂତନ କରି ପୁଣି କଂଗ୍ରେସର ମଙ୍ଗ ଧରିବା ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଡାକରା ଦେଇଛନ୍ତି । ଆସନ୍ତା କାଲି ସୋନିଆଙ୍କ ସହିତ ରାଜ୍ୟ କଂଗ୍ରେସର ପ୍ରମୁଖ ନେତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ।
କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ରାଜ୍ୟର ନେତା ମାନଙ୍କ ସହିତ ସୋନିଆଙ୍କର ଏହା ପ୍ରଥମ ବୈଠକ ହେବ । ପିସିସି ସଭାପତି ନିରଞ୍ଜନଙ୍କ ସହିତ ବହୁ ହେବିୱେଟ ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପିସିସି ସଭାପତି ବଦଳିବେ କି ନାହିଁ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଗତ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ସ୍ଥିତି ପୁରା ଭୁଷୁଡି ପଡିଥିଲା । ପ୍ରତିଥର ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଫାଇଟ ଦେଖିବାକୁ ମିଳୁଥିବା ବେଳେ ଏଥର ବିଜେଡି ଓ ବିଜେପି ମଧ୍ୟରେ ଫାଇଟ ଦେଖିବାକୁ ମିଳିଥିଲା ।
ଏମିତି କି ଏଠାରେ ପିସିସି ସଭାପତିଙ୍କୁ ମଧ୍ୟ ହାର ମାନିବାକୁ ପଡିଥିଲା । ସେ ଯାହା ବି ହେଉ ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତପା ଦେବା ପରେ ପୁଣି କଂଗ୍ରେସ ଯାଇଚି ସୋନିଆ ଗାନ୍ଧୀଙ୍କ ହାତକୁ । ଆଗକୁ ଆସୁଥିବା ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସୋନିଆ ପୁଣି କଂଗ୍ରେସର ନବକଳେବରରେ ଲାଗି ପଡିଛନ୍ତି ବୋଲି ଚର୍ଚ୍ଚା ହେଉଛି ।