ଭୁବନେଶ୍ୱର,(ଏଟିଆରବ୍ୟୁରୋ): ମାଡି ବସି ସାର୍ଟ ପ୍ୟାଂଟ ଖୋଲାଯାଉଛି । ସିଡ଼ି ଉପରେ ପୁଣି ଗୋଡାଇ ଗୋଡାଇ କାନମୁଣ୍ଡକୁ ଥାପଡ । ସିଧା କହିବାକୁ ଗଲେ ପିଲାମାନଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯାତନା । ଯାହାକୁ ଦେଖିଲେ ଛାତିମୁଣ୍ଡ ବି ଥରି ଉଠୁଛି । ଏମିତି ରାଗିଂ ଘଟଣା ସାମ୍ନାକୁ ଆସିଛି ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭିସୁଟ୍ ବା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରୁ । ଅଭିଯୋଗ ହୋଇଛି ସିନିୟର ଛାତ୍ରମାନେ ମିଳିମିଶି ଜୁନିୟର ମାନଙ୍କୁ କରିଛନ୍ତି ର୍ୟାଗିଂ । କେଉଁଠି ଷ୍ଟେଜ୍ ଉପରେ କିଛି ଛାତ୍ରଙ୍କୁ ଚଡି ପିନ୍ଧାଇ ନଚାଇଛନ୍ତି ତ’ ଆଉ କେଉଁଠି ଅଶ୍ଳୀଳ ନୃତ୍ୟ କରିବାକୁ ବାଧ୍ୟ କରିଛନ୍ତି ।
ଗୁଡ଼ ମାଠିଆକୁ ଜନ୍ଦା ଘେରିଲା ପରି ଏଠି ଘେରି ଯାଇ ପିଲାଙ୍କୁ କାନ ଧରି ମୁଣ୍ଡ ତଳକୁ କରି ନାଚିବାକୁ ବାଧ୍ୟ କରିଛନ୍ତି । ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଛାତ୍ରଛାତ୍ରୀଙ୍କ ଭବିଶ୍ୱତକୁ ନେଇ କେତେ ଚିନ୍ତିତ ବିଶ୍ୱବିଦ୍ୟାଳୟ କତୃପକ୍ଷ । ଆଖିରେ ଆଖିଏ ସ୍ୱପ୍ନ ନେଇ ଭବିଶ୍ୟତ ଗଢିବାକୁ ଆସିଥିବା ଛାତ୍ରଛାତ୍ରୀ କେତେ ସୁରକ୍ଷିତ ଏ ବିଶ୍ୱବିଦ୍ୟାଳୟରେ । ଏ ଚିତ୍ର ଦେଖିବା ପରେ କଣ ହେଇଥିବ ରାଗିଂର ଶିକାର ହୋଇଥିବା ଛାତ୍ରଛାତ୍ରୀଙ୍କ ବାପା ମା ଙ୍କ ମନର ।
ସେପଟେ ଏନେଇ ଖବର ପ୍ରକାଶ ପାଇବା ପରେ ଏବେ ଆକ୍ସନ ମୁଡକୁ ଆସିଛନ୍ତି ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ଆଉ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ନିର୍ଦ୍ଦେଶ ପାଇବା ପରେ ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ ଛାତ୍ରାବାସକୁ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି । ନେଇଛନ୍ତି କାର୍ଯ୍ୟାନୁଷ୍ଠାନ । ଘଟଣାରେ ୧୦ଜଣ ଛାତ୍ରଙ୍କୁ ଗୋଟିଏ ବର୍ଷ ପରୀକ୍ଷା ଦେବାରୁ ବଂଚିତ କରାଯାଇଥିବା ବେଳେ ୫୨ଜଣ ଛାତ୍ରଙ୍କୁ ୨ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି ।