ବ୍ରହ୍ମପୁର,(ଏଟିଆରବ୍ୟୁରୋ): ଅପରାଧ ଘଟାଇ ପୁଲିସକୁ ଚକମା ଦେଉଥିବା ଅପରାଧୀ ଏବେ ସାବଧାନ୍ । ଖସିବାର ଆଉ ବାଟ ମିଳିବନି । କାରଣ ଆସିଗଲେ ଆଇପିଏସ୍ ଅଫିସର ସତ୍ୟବ୍ରତ ଭୋଇ । ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୦୪ ବ୍ୟାଚ୍ର ଏହି ଆଇପିଏସ ଅଫିସର ଶ୍ରୀ ସତ୍ୟବ୍ରତ ଭୋଇ । ଏହା ପୂର୍ବରୁ ସେ କେନ୍ଦ୍ରାଞ୍ଚଳ ଡିଆଇଜି ଥିଲେ ।
ରେଞ୍ଜ ଆଇଜି ଯତୀନ୍ଦ୍ର କୋଏଲଙ୍କଠୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ସମୟରେ ଗଞ୍ଜାମ ଓ ବ୍ରହ୍ମପୁର ଏସିପିଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ । ତେବେ ଦାୟିତ୍ୱ ନେବା ପରେ ଶ୍ରୀ ଭୋଇ କହିଛନ୍ତି ଯେ, ପୂରା ପୁଲିସ ଟିମ୍ ସକ୍ରୀୟ ରହିଛନ୍ତି । ତେଣୁ କୌଣସି ସମସ୍ୟା ନାହିଁ । ହେଲେ ଦକ୍ଷିଣାଞ୍ଚଳ ରେଞ୍ଜରେ ଚାଲିଥିବା ମାଓ ଗତିବିଧିକୁ କିଭଳି ରୋକାଯିବ ସେନେଇ ଗୁରୁତ୍ୱ ଦିଆଯିବ । କେବଳ ଏତିକି ନୁହେଁ ମୁ୍ଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ରକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି ଶ୍ରୀ ଭୋଇ । ୫ଟି ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଜିଲ୍ଲାରେ ପୁଲିସ ଟିମ୍ କାମ ଠିକ୍ ଠାକ କରୁଛି । ଏଣୁ ଅପରାଧୀଙ୍କ ମୂଳପୋଛ କରିବା ଲାଗି ପ୍ରୟାସକୁ ଆହୁରି ଜୋରଦାର କରାଯିବ । ସୂଚନାଯୋଗ୍ୟ, ଶ୍ରୀ ଭୋଇ କମିଶନରେଟ ପୁଲିସର ଡିସିପି ଦାୟିତ୍ୱରେ ଥିବା ବେଳେ ଅପରାଧୀଙ୍କ ମନରେ ଛନକା ପଶାଇ ଦେଇଥିଲେ । ସାଧାସିଧା ଦେଖାଯାଉଥିବା ଏହି ଆଇପିଏସ ଅଫିସରଙ୍କ କିନ୍ତୁ ଅସାଧାରଣ କାମକୁ ନେଇ ଆଜି ବି ସହରବାସୀ ବାହାବାଃ ବଖାଣୁଛନ୍ତି ।