ପୁରୀ (ଏଟିଆର ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ କିଛି ନା କିଛି ନିତିକାନ୍ତି ହୋଇଥାଏ । ସେହିଭଳି ଆଜି କାଳିଅଦଳନ ଏକାଦଶୀ ଅବସରରେ ଶ୍ରୀଜିଉଙ୍କ ଲବଣିଖିଆ ନିତି ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ଅନୁଯାୟୀ ଭାଦ୍ରବ କ୍ରିଷ୍ଣ ଏକାଦଶୀ ଅବସରରେ ମଧ୍ୟାହ୍ନ ଧୂପ ସମୟରେ ଶ୍ରୀଜିଉଙ୍କ ଠାରେ ତିନୋଟି ଆଜ୍ଞା ମାଳ ଲାଗି କରାଯାଇଥାଏ । ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଗର୍ଭଗୃହ ସଫା କରାଯାଇ ଭୋଗ ଲାଗି କରାଯାଏ । ମହାଜନଙ୍କ ଦ୍ୱାରା ମଦନମୋହନ, ରାମ କୃଷ୍ଣଙ୍କୁ ରତ୍ନ ସଂହାସନରୁ ନିଆଯାଇଥାଏ । ଏହାପରେ ପୂଜା ପଣ୍ଡା ସେବକ ମାନେ ମହାପ୍ରଭୁଙ୍କୁ ୩ ଟି ଆଜ୍ଞା ମାଳ ପ୍ରଦାନ କରିବା ପରେ ପାଲିଙ୍କି ଯୋଗେ ତାଙ୍କୁ କଳ୍ପବଟ ପାଖକୁ ନେଇଯିବାର ପରମ୍ପରା ରହିଛି ।
ପୁଣି ବିମାନବଡୁ ସେବକମାନେ ପାଲିଙ୍କିରେ ମହାପ୍ରଭୁଙ୍କୁ ନେଇ ଲୋକନାଥ ରୋଡରେ ଥିବା ଲବଣିଖିଆ ମଣ୍ଡପକୁ ନେଇ ଯାଇଥାନ୍ତି । ସେଠାରେ ଗୋପାଳ ପରିବାରର ମହିଳାମାନେ ମହାପ୍ରଭୁଙ୍କୁ ବନ୍ଦାପନା କରିବା ସହ ଭଗବାନଙ୍କୁ ଲହୁଣୀ ଭୋଗ ଲଗାଇଥାନ୍ତି । ପୁଣି ଶୀତଳ ଭୋଗ ବନ୍ଦପନା ପରେ ଭଗବାନଙ୍କୁ ମାର୍କଣ୍ଡ ପୁଷ୍ପରଣୀକୁ ନିଆଯାଇଥାଏ । ମାର୍କଣ୍ଡ ପୁଷ୍କରଣୀ ମଧ୍ୟରେ ଥିବା ଏକ ମଣ୍ଡପରେ ଭଗବାନଙ୍କ ପାଲିଙ୍କିକୁ ରଖାଯାଏ । ଯେଉଁଠି ଭଗବାନଙ୍କ କାଳିଅଦଳନ କାହାଣି ଅଙ୍କିତ ହୋଇଛି । ସେଠାରେ ଜଣେ ବ୍ୟକ୍ତି ଗରୁଡ ବସ୍ତ୍ର ଧାରଣ କରି ଭଗବାନଙ୍କୁ ଅମୃତ ଲଡୁ ପ୍ରଦାନ କରିଥାନ୍ତି । ଏହାପରେ ପୁଣି ଭଗବାନ ଶ୍ରୀମନ୍ଦିରକୁ ଫେରିଥାନ୍ତି ।