ନୂଆ କରିବାର ନିଶା ସବୁବେଳେ ମଣିଷକୁ ଦେଇଥାଏ ନୂଆ ଏକ ପରିଚୟ । ଆଉ ଅନ୍ୟମାନଙ୍କ ଠାରୁ ଗଢି ତୋଳି ଥାଏ ଭିନ୍ନ । ଆଉ ସେହି ନିଶା ଯେତେବେଳେ ଦୃଢ ଇଚ୍ଛା ଶକ୍ତିରେ ପରିଣତ ହୁଏ ସେତେବେଳେ ଦୁନିଆର ସବୁ ପ୍ରତିକୂଳ ପରିସ୍ଥିତି ତା ପାଖରେ ହାର ମାନେ । ଆପଣ ଦୁନିଆରେ ଏମିତି ଅନେକ ଲୋକ ଦେଖିଥିବେ ଯେଉଁମାନେ କିଛି ଭିନ୍ନ କରିବା ପାଇଁ ସବୁବେଳେ ବିବ୍ରତ । ସେମିତି ଜଣେ ଭିନ୍ନ ଏକ ମଣିଷ ହେଉଛନ୍ତି ଭୁବନେଶ୍ୱର କଳାଂ ନାହାଙ୍ଗର ସୁପର୍ଣ୍ଣା ସୁରଭିତା ଦାସ । ପେଶାରେ ଜଣେ ବିଡିଏର ଆସିଷ୍ଟାଣ୍ଟ ଟାଉନ ପ୍ଲାନର । ହେଲେ ପ୍ୟାସନ ତାଙ୍କର ଦିଆସିଲ ଖୋଳ ସଂଗ୍ରହ କରିବା । ଦୀର୍ଘ ୨୮ ବର୍ଷ ହେଲାଣି ସୁପର୍ଣ୍ଣା ସଂଗ୍ରହ କରୁଛନ୍ତି ବିଭିନ୍ନ ରକମର ଦିଆସିଲି ଖୋଳ ।
ବର୍ତ୍ତମାନ ସେ ପାଖାପାଖି ୭୦୦୦ରୁ ଅଧିକ ଦିଆସିଲ ଖୋଳ ସଂଗ୍ରହ କରି ସାରିଲେଣି । ତେବେ ଆସନ୍ତୁ ସୁପର୍ଣ୍ଣାଙ୍କ ଠାରୁ ଜାଣିବା, ଦିଆସିଲି ଖୋଳ ସଂଗ୍ରହ କରିବାର ଏହି ଅଭିନବ ଚିନ୍ତା ଧାରା ତାଙ୍କ ମନକୁ କେବେ ଓ କାହିଁକି ଆସିିଲା । ନିଜ ବାପାଙ୍କୁୂ ଅନୁକରଣ କରି ଦିଆସିଲି ଖୋଳ ସଂଗ୍ରହ ଆରମ୍ଭ କରିଥିବା ସୁପର୍ଣ୍ଣା, କେବଳ ଯେ ଆମ ଦେଶର ଦିଆସିଲି ଖୋଳ ସଂଗ୍ରହ କରିଛନ୍ତି ତା ନୁହେଁ, ବିଦେଶରୁ ମଧ୍ୟ ସଂଗ୍ରହ କରିଛନ୍ତି ଅନେକ ଡିଜାଇନର ଦିଆସିଲି ଖୋଳ । ବର୍ତ୍ତମାନ ତାଙ୍କ ପାଖରେ ବିଲୁପ୍ତ ହୋଇ ଯାଇଥିବା ପୁରୁଣା କାଳିଆ ଦିଆସିଲି ଖୋଳ ମଧ୍ୟ ରହିଛି । କାଠ ତିଆରି ଦିଆସିଲ ଖୋଳ, ଲୁହା ତିଆରି ଦିଆସିଲ ଖୋଳର କଭର, ବିଭିନ୍ନ ହୋଟେଲରେ ବ୍ୟବହୃତ ହେଉଥିବା ଦିଆସିଲ ସହିତ ଇସ୍ରାଏଲ, ପୋଲାଣ୍ଡା, ପର୍ତ୍ତୁଗାଲ, ଶ୍ରୀଲଙ୍କା, କୋରିଆ ଆଦି ଅନେକ ଦେଶର ଦିଆସିଲ ଖୋଳ ସହିତ ମ୍ୟାଚ ବୁକ୍ ସଂଗ୍ରହ କରିଛନ୍ତି ସୁପର୍ଣ୍ଣା ।
କେବଳ ସେ ବିଭିନ୍ନ ପ୍ରକାରର ଦିଆସିଲି ଖୋଳ ସଂଗ୍ରହ କରି ନାହାନ୍ତି । ତା ସହିତ ଦସ୍ତା ଓ ତମ୍ବା ତିଆରି ବିଭିନ୍ନ ଜିନିଷ ଯଥା ମାଣ, ସେର, ଡିବି, ସାବୁନ କେସ୍, ଦୀପ, ପିକଦାନୀ, ଲେଖନୀ, ଆଦୀବାସୀ ଅଳଙ୍କାର, ଗୁଆକାତି ଆଦି ଅତି ପୁରୁଣା ଜିନିଷକୁ ମଧ୍ୟ ସାଇତିି ରଖିଛନ୍ତି ସୁପର୍ଣ୍ଣା । ଏହା ବାଦ ବିଭିନ୍ନ ଦେଶର ଟଙ୍କା ଓ ପୁରୁଣା ପଇସା ମଧ୍ୟ ସେ ସାଇତି ରଖିବାରେ ରୁଚି ରଖନ୍ତି । ଆଗକୁ ଏହି ଦିଆସିଲ ଖୋଳକୁ ପ୍ରର୍ଦସନି ମାଧ୍ୟମରେ ଲୋକ ଲୋକଚନକୁ ଆଣିବାକୁ ଆଶା ରଖିଛନ୍ତି ସୁପର୍ଣ୍ଣା ।