ନୂଆଦିଲ୍ଲୀ,(ଏଟିଆରବ୍ୟୁରୋ): ମୋଦୀ ସରକାର ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶ ବିକ୍ରି କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଏହାକୁ ଘରୋଇକରଣ କରାଯିବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ଯେ ସରକାର ଏୟାରଲାଇନ୍ସ ବ୍ୟବସାୟ ଚଲାଇବାକୁ ଚାହୁଁନାହାନ୍ତି। ଏହି କାମ ଘରୋଇ କମ୍ପାନୀକୁ କରିବା ଉଚିତ୍। ଏୟାରଇଣ୍ଡିଆକୁ ପୂରା ଘରୋଇକରଣ କରାଯିବ। ମନ୍ତ୍ରୀ କହିଛନ୍ତି ଯେ, ଏୟାର ଇଣ୍ଡିଆକୁ କିଣିବା ପାଇଁ ଅନେକ ଲୋକ ଇଚ୍ଛୁକ ଅଛନ୍ତି। ଭରସା ଦେଉଛି ଯେ ଘରୋଇକରଣ ହେଲେ ଏୟାର ଇଣ୍ଡିଆର ଉନ୍ନତି ହେବ। ଦୀର୍ଘ ଦିନ ହେବ ଏୟାର ଇଣ୍ଡିଆ ଗମ୍ଭୀର ଋଣ ସଙ୍କଟ ଦେଇ ଗତି କରୁଛି। ଗତ ଦିନରେ ବିଲ୍ ପୈଠ କରିନପାରିବାରୁ ସରକାରୀ ତୈଳ ବିପଣନକାରୀ କମ୍ପାନୀ ଏଚପିସିଏଲ, ବିପିସିଏଲ ଓ ଆଇଓସିଏଲ ତୈଳ ଯୋଗାଣ ଉପରେ ରୋକ୍ ଲଗାଇଥିଲେ। ହରଦୀପ ପୁରୀ କହିଛନ୍ତି ଯେ ଗୃହ ମନ୍ତ୍ରୀ ଅମିତ୍ ଶାହା ଏୟାର ଇଣ୍ଡିଆ ବିନିବେଶ କମିଟିର ଅଧ୍ୟକ୍ଷ ଅଛନ୍ତି ଏବଂ ଆଗାମୀ କିଛି ଦିନରେ ଏହା ଉପରେ ବୈଠକ ହେବ। ଏହା ପୂର୍ବରୁ କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଉଣ୍ଡ ବୈଠକ ହୋଇ ସାରିଛି।
ବିପୁଳ ପରିମାଣ ଋଣ ବୋଝ ତଳେ ଦବି ରହିଛି ଏୟାର ଇଣ୍ଡିଆ: ଗୋଟିଏ ମାସରେ ଏୟାର ଇଣ୍ଡିଆର କର୍ମଚାରୀଙ୍କ ବେତନ ରୂପେ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ମେ ମାସରେ କର୍ମଚାରୀଙ୍କୁ ୧୦ ଦିନ ବିଳମ୍ବରେ ବେତନ ମିଳିଥିଲା। ଉଲ୍ଲେଖଯୋଗ୍ୟ, ଆର୍ଥିକ ବର୍ଷ ୨୦୧୭-୧୮ ତୂଳନାରେ ୨୦୧୮-୧୯ରେ ଏୟାର ଇଣ୍ଡିଆ ଉପରେ ମୋଟ୍ ଋଣ ୫୫,୦୦୦ କୋଟି ଟଙ୍କାରୁ ବଢି ୫୮,୩୫୧.୯୩ କୋଟି ଟଙ୍କାରେ ପହଞ୍ଚିଛି।