ମୁମ୍ବାଇ,(ଏଟିଆରବ୍ୟୁରୋ): ମହାରାଷ୍ଟ୍ରର ଧୁଲେର ଅଞ୍ଚଳରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଥିବା ବେଳେ ନିର୍ଗତ ବିଷାକ୍ତ ଗ୍ୟାସ ପୂରା ଅଞ୍ଚଳକୁ ଖେଦିବାକୁ ଲାଗିଛି । ଯାହା ଆଗକୁ ଆହୁରି ବିପଦ ବଢ଼ାଇପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ନିଆଁ ଲିଭାଇବାକୁ ଜୋରଦାର ପ୍ରୟାସ ଚଳାଇଛି ଅଗ୍ନିଶମ ବିଭାଗ ।
ବଡ଼ କଥା ହେଉଛି ଏତେବଡ଼ ଅଘଟଣରୁ ୪୦ଜଣଙ୍କୁ ଫ୍ୟାକ୍ଟ୍ରି ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିବା ବେଳକୁ ଭୟାନକ ବିଷ୍ଫୋରଣ ହୋଇଥିଲା । ଯାହା ପୂରା ଅଞ୍ଚଳକୁ ଥରହର କରି ପକାଇଥିଲା । ଲୋକ ଆତଙ୍କିତ ହୋଇପଡିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ । ଫସି ରହିଥିବା ଲୋକଙ୍କୁ ମିଳିତ ଭାବେ ଉଦ୍ଧାର କରାଯାଇଥିଲା । ମୃତକଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ରହିଛନ୍ତି । ଯଦିଓ ସେମାନଙ୍କ ପରିଚୟ ମିଳିପାରିନାହିଁ କିନ୍ତୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅଗ୍ନିଶମ ବିଭାଗ ସୂଚନା ଦେଇଛି ।