ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚନ୍ଦ୍ରଯାନ-୨ର ଅର୍ବିଟରରୁ ବିକ୍ରମ ଲାଣ୍ଡର ଅଲଗା ହେବାର ଗୋଟେ ଦିନ ପରେ ଚନ୍ଦ୍ରମାର ତଳ କକ୍ଷରେ ଅବତରଣ କରିବାର ଦ୍ୱିତୀୟ ଚରଣ ବି ସଫଳତା ପୂର୍ବକ ପୂରଣ କରାଯାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ସେପ୍ଟମ୍ବର ୭ରେ ଚନ୍ଦ୍ରମାର ଦକ୍ଷୀଣ ଧ୍ରୁବରେ ସଫ୍ଟ ଲାଣ୍ଡିଂ କରିବା ପୂର୍ବରୁ ବୁଧବାର ଦିନ ଯାନକୁ ଆଉ ଏକ ତଳ କକ୍ଷକୁ ନିଆଯାଇଛି । ଚନ୍ଦ୍ରମାର ୩୫ କି.ମି ଦୂରରେ ଏହା ଏବେ କରିକ୍ରମା କରୁଛି ।
ଏନେଇ ଇସ୍ରୋ ପକ୍ଷରୁ କୁହାଯାଇଛି କି, ଭାରତୀୟ ସମୟ ଅନୁଯାୟୀ ବୁଧବାର ସକାଳ ୩.୪୨ ମିନିଟ୍ରେ ଚନ୍ଦ୍ରଯାନକୁ ତଳ କକ୍ଷରେ ପୂର୍ବନିର୍ଦ୍ଧାରିତ ସମୟାନୁସାରେ ଅବତରଣ କରାଯାଇଛି । ଏହି ପ୍ରକିୟା ପାଇଁ ପାଖାପାଖି ୯ ସେକେଣ୍ଡ ଲାଗିଥିଲା । ଚନ୍ଦ୍ରଯାନ-୨ ଅର୍ବିଟର ଚନ୍ଦ୍ରମାର ନିକଟବର୍ତ୍ତି କକ୍ଷରେ ଲଗାତର ଭାବେ ପରିକ୍ରମା କରୁଛି ଏବଂ ଅର୍ବିଟର ଓ ଲାଣ୍ଡର ବି ସମ୍ପୂଣ୍ଣ ଠିକ୍ ରହିଛି ।
ଏହାପୂର୍ବରୁ ସୋମବାର ଦିନ ବିକ୍ରମ ଲାଣ୍ଡର ଅର୍ବିଟରରୁ ସଫଳତା ପୂର୍ବକ ଅଲଗା ହୋଇଥିଲା । ଯଦି ଏଭଳି ଆଗକୁ ସବୁକିଛି ଠିକ୍ ରୁହେ ତେବେ ବିକ୍ରମ ଏବଂ ତା ଭିତରେ ଥିବା ରୋଭର ପ୍ରଜ୍ଞାନ ଶନିବାର ଦିନ ବିଳମ୍ବିତ ରାତି ସୁଧା ଚନ୍ଦ୍ରମାରେ ଅବତରଣ କରିବାର ଅଶା କରାଯାଉଛି ।