ଭୁବନେଶ୍ୱର,(ଏଟିଆରବ୍ୟୁରୋ): ପିସିଆରକୁ ଖୋଜୁଛି କମିଶନରେଟ ପୁଲିସ । କଥାଟା ଟିକେ ଅଜବ ଲାଗୁଥିଲେ ବି ଘଟଣା ସତ । ବର୍ତ୍ତମାନ ଏକ ପିସିଆରକୁ ନେଇ ଆରମ୍ଭ ହୋଇଛି ତନାଘନା । ବିଚ୍ ରାସ୍ତାରେ ବେପରୱା ଭାବେ ଗଡୁଥିବା ଏକ ପିସିଆର ଭ୍ୟାନ୍ର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
୩୦ ସେକେଣ୍ଡର ଏହି ଭିଡ଼ିଓରେ ପିସିଆର ଭ୍ୟାନ୍ର ୨ଟି ଡୋର ଖୋଲାଯାଇ ଏନଏଚ ଉପରେ ଖୁବ୍ ଜୋରରେ ଗଡୁଥିବା ଦେଖିବାକୁ ମିଳୁଛି । ଯଦିଓ ପିସିଆର ଭ୍ୟାନ୍ କେଉଁ ଥାନାର ତାହା ଜଣାପଡିନାହିଁ କିନ୍ତୁ ଭୁବନେଶ୍ୱରର ଆଚାର୍ଯ୍ୟବିହାର ଓଭରବ୍ରିଜ୍ ଉପରେ ଏ ଦୃଶ୍ୟ ରେକର୍ଡ କରାଯାଇଥିବା ସୂଚନା ମିଳିଛି । ସବୁଠୁ ବଡ଼ କଥା ହେଉଛି ଜାତୀୟ ରାଜପଥ ଉପରେ ପୁଲିସ ଭ୍ୟାନର ଏଭଳି ହରକତ ଏବେ ସମସ୍ତଙ୍କୁ ଚକିତ କରିଛି ।
କାହିଁକି ଓ କେଉଁ ପରିସ୍ଥିତିରେ ପିସିଆର ଭ୍ୟାନ୍ ଡ୍ରାଇଭର ଓ ସାଇଡ୍ରେ ବସିଥିବା କର୍ମଚାରୀ ଡୋର ଖୋଲି ଗାଡି ଚଳାଉଥିଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯଦି ଏକ ଅଟୋକୁ ୪୭ହଜାର ୫ଶହ ଟଙ୍କା ଫାଇନ କରାଯାଇପାରୁଛି ତେବେ ଏଭଳି ବେପରୱା ଭାବେ ଚାଲୁଥିବା ପିସିଆର ଭ୍ୟାନ୍ ଉପରେ କେତେ ଫାଇନ୍ ଲଗାଇବ କମିଶନରେଟ ପୁଲିସ ? ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ କମିଶନର ଓ ଡିସିପି ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଏବେ ଅପେକ୍ଷା ଏହି ପିସିଆର ଭ୍ୟାନ୍ ଉପରେ ପୁଲିସ କେତେଶୀଘ୍ର ଆଉ କି’ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ସୂଚନାଯୋଗ୍ୟ, ରାଜଧାନୀରେ ଏବେ ମୋଟ ୩୫ଟି ପିସିଆର ଭ୍ୟାନ୍ ଚକ୍କର କାଟୁଛି ।