ନୂଆଦିଲ୍ଲୀ:(ଏଟିଆରବ୍ୟୁରୋ): “ପବ- ଜି” ଗେମ୍ ଖେଳିବାକୁ ଚାହୁଁଥିଲା ପୁଅ। ହେଲେ ନେଟ୍ ପ୍ୟାକ୍ ସରି ଯାଇଥିଲା। ନେଟ୍ ପ୍ୟାକ୍ ପକାଇବା ପାଇଁ ପୁଅ ବାପାଙ୍କୁ ଟଙ୍କା ମାଗିଲା। ହେଲେ ଟଙ୍କା ଦେବାକୁ ପୂରା ରୋକଠୋକ ମନା କରିଦେଲେ ବାପା । ବାସ ଏହାକୁ ନେଇ ଆରମ୍ଭ ହେଲା କଥା କଟାକଟି । ଯୁକ୍ତି ତର୍କ ହେଲା। ଏଥିରେ କ୍ରୋଧାନ୍ୱିତ ହୋଇ ଶୋଇଥିବା ଅବସ୍ଥାରେ ବାପାଙ୍କ ମୁଣ୍ଡ କାଟିଦେଲା ପୁଅ। ଘଟଣାଟି ଘଟିଛି କର୍ଣ୍ଣାଟକର ବେଲଗାବୀ ଜିଲ୍ଲା କାକତି ଗ୍ରାମରେ।
ନେଟ୍ ପ୍ୟାକ୍ ପକାଇବାକୁ ଟଙ୍କା ନ’ ଦେବାରୁ ୨୫ ବର୍ଷୀୟ ପୁଅ ରଘୁବୀର ଶଙ୍କରପ୍ପା କୁମ୍ଭାର ତାର ୬୫ ବର୍ଷ ବୟସର ବାପା ଶଙ୍କର ଦେବପ୍ପା କୁମ୍ଭାରଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିଛି। ତେବେ ସବୁଠୁ ବଡ଼ କଥା ହେଉଛି ମୁଣ୍ଡ କାଟିବା ପରେ ବାପାର ଗୋଡକୁ ବି କାଟି ପକାଇଛି ହତ୍ୟାକରୀ ପୁଅ । ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି । ଘଟଣାଟି ପୂରା ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।