ପୁରୀଏ(ଟିଆର ବ୍ୟୁରୋ): ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଅବସରରେ ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ଅନୁଯାୟୀ ଏହି ଦିନ ସକାଳ ଧୂପ ଶେଷ ହେବା ପରେ ଶ୍ରୀଜିଉଙ୍କ ପାଖରେ ମହା ସ୍ନାନର ଆୟୋଜନ କରାଯାଇଥାଏ । ଏହା ପରେ ଗତ କାଲିଠୁ ସଂରକ୍ଷିତ ରଖାଯାଇଥିବା ପବିତ୍ର ସୂତାକୁ ଭଗବାନଙ୍କ ଉପରେ ଅର୍ପଣ କରାଯାଏ । ଏହାପରେ ମଧ୍ୟାହ୍ନ ଧୂପର ଆୟୋଜନ କରାଯାଇଥାଏ । ମଧ୍ୟାହ୍ନ ଧୁପ ଶେଷ ହେଲା ପରେ ଗର୍ଭଗୃହକୁ ସଫା କରାଯାଇ ଜୟ ବିଜୟ ଦ୍ୱାର ବନ୍ଦ କରାଯାଏ । ପୁଣି ସୁଧା ସୁଆର ସେବକ ମାନଙ୍କ ଦ୍ୱାରା ଚନ୍ଦନ ଅର୍ଗଳି କ୍ଷେତ୍ରକୁ ସଫା କରାଯିବା ସହ ପୂଜା ପଣ୍ଡା ସେବକଙ୍କ ଦ୍ୱାରା ପଞ୍ଚବର୍ଣ୍ଣ ସୁରୁବ କରାଯାଇଥାଏ । ଏହାପରେ ଭଗବାନ ତ୍ରିମୂର୍ତ୍ତିଙ୍କ ପାଖରେ ବନ୍ଦାପନା ଏବଂ ବରୁଣ ପୂଜା ସମ୍ପର୍ଣ୍ଣ ହେୁଏ ।
ସେହିପରି ବ୍ରହ୍ମା ବରଣ ବେଳେ ପଟି ମହାପାତ୍ର ଏବଂ ମୁଦିରସ୍ତା ଶପଥ ନେଇଥାନ୍ତି । ପରେ ମତ୍ତାଜନ ସେବକଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କୁ ସିଂହାସନକୁ ନିଆଯାଇଥାଏ । ସେଠାରେ ମୁଦିରାସ୍ତାଙ୍କ ଦ୍ୱାରା ଭଗବାନଙ୍କୁ ଧଣ୍ଡି ପ୍ରସାଦ (କପଡାରେ ଗୁଡା ହୋଇଥିବା ତୁଳସୀ ମାଳା) ଲାଗି କରାଯାଇଥାଏ । ଶ୍ର୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ଗର୍ଭଗୃହରେ ସର୍ବତୋଭଦ୍ର ମଣ୍ଡଳ ଅଙ୍କାଯାଏ ।
ମହାଜନ ସେବକଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କୁ ମଣ୍ଡଳର ମଝି ଭାଗରେ ରଖାଯାଏ । ସେହିପରି ବଣିଆ ସେବକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂର୍ଣ୍ଣ ବାମନ ମୂର୍ତ୍ତି ମଣ୍ଡଳରେ ରଖାଯାଇଥାଏ । ସେହି ମୃର୍ତ୍ତିକୁ ସ୍ନାନ କରି ଶୀତଳ ଭୋଗ ଲାଗି କରାଯାଏ । ପୁଣି ବାମନଙ୍କ ଅନ୍ୟ ଜନ୍ମ ସଂସ୍କାର ଆୟୋଜିତ କରାଯାଏ । ଏହା ପରେ ପାଳିଆ ମହାସର ପୂଜାପଣ୍ଡା ଦ୍ୱାରା ଭଗବାନ ଠାରେ ଖିର, ଦହି ଏବଂ କୋରା ଲାଗି ହୋଇଥାଏ । ଭୋଗ ଲାଗି ହେବା ପରେ ମହାଜନ ସେବାକଙ୍କ ଦ୍ୱାରା ବାମନଙ୍କୁ ଜୟ ବିଜୟ ଦ୍ୱାରକୁ ନିଆଯାଏ । ସେଠାରେ ମାର୍କଣ୍ଡ ସାହି ନିବାସୀ ବାମନ ଜନ୍ମ ପଟି ପ୍ରଦାନ କରିଥାନ୍ତି ।
ଏହାପରେ ବାମନଙ୍କୁ ମାଜଣା ମଣ୍ଡପରେ ସଜା ହୋଇଥିବା ଏକ ଖଟୁଲିରେ ରଖା ଯାଇଥାଏ । ପୁଣି ପଟି ମହାପ୍ରସାଦ ଦ୍ୱାରା ଭଣ୍ଡାର ଘରୁ ଜୟ ଦୁର୍ଗାଙ୍କୁ ଏକ ଚାନ୍ଦୀ ଥାଳିରେ ଅଣାଯାଏ । ସେଠାରେ ମା ସୁଭଦ୍ରାଙ୍କ ଠାରୁ ଆଜ୍ଞା ମାଳ ଗ୍ରହଣ କରି ମାଜଣା ମଣ୍ଡପରେ ବାମନଙ୍କ ପାଖରେ ବିରାଜମାନ କରନ୍ତି । ଏହା ପରେ ଚୂଡାକରଣ, ବସୁଧରା, ଯଜ୍ଞପବିତ୍ର ଲାଗି ଅନୁଷ୍ଠିତ ହୋଇଥାଏ । ପୁଣି ମାଜଣା ମଣ୍ଡପକୁ ସଫା କରାଯାଏ ।
ଶେଷରେ ଭଗବାନଙ୍କ ଶରୀରରୁ ଧଣ୍ଡି ପ୍ରସାଦ କଢା ଯାଇଥାଏ । ଏହାପରେ ଶ୍ରୀକୃଷ୍ଣ ଦକ୍ଷୀଣ ଘରକୁ ଏବଂ ମା ଦୁର୍ଗା ଭଣ୍ଡାର ଘରକୁ ଫେରି ଯାଇଥାନ୍ତି ।