ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦିନ ଯେତିକି ଗଡୁଛି ଲ୍ୟାଣ୍ଡର ବିକ୍ରମକୁ ନେଇ ଆଶଙ୍କା ସେତେ ବଢିବାରେ ଲାଗଛି । ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ କରିବାକୁ ଇସ୍ରୋ ପକ୍ଷରୁ ଏବେବି ପ୍ରୟାସ ଜାରି ରହିଛି । ତେବେ ଇସ୍ରୋକୁ ଏ କ୍ଷେତ୍ରରେ ସହଯୋଗ କରିବା ପାଇଁ ନାସା ମଧ୍ୟ ହାତ ବଢାଇଛି । ଏମିତି କି ଲ୍ୟାଣ୍ଡର ବିକ୍ରମ ପାଖକୁ ନାସା ପକ୍ଷରୁ ଏକ ସିଗନାଲ ମଧ୍ୟ ପଠାଯାଇଛି । ତେବେ ଇସ୍ରୋର ଅନୁଧ୍ୟାନକୁ ଆହୁରି ସହଜ କରିବା ପାଇଁ ଏବେ ନାସା ବିକ୍ରମ ଲ୍ୟାଣ୍ଡିଂ ସାଇଟର ଫଟୋ ପଠାଇବ ବୋଲି ସୂଚନା ଦେଇଛି ।
ଯାହାକୁ ନେଇ ପୁଣି ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଆଶା ଜାଗ୍ରତ ହୋଇଛି । ପୂର୍ବରୁ ନାସାର ଚନ୍ଦ୍ର ର୍ସେବକ୍ଷଣ ( ଅର୍ବିଟର) ସେଠାରେ ବୁଲୁଥିବାରୁ ନାସା ଏହି ଫଟୋ ପଠାଇ ପାରିବ ବୋଲି ଜଣା ପଡିଛି । ସୂଚନାଯୋଗ୍ୟ ଗତ ୭ ତାରିଖରେ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାର ମାତ୍ର ୨.୧ କିମି ପୂର୍ବରୁ ଇସ୍ରୋ ସହିତ ବିକ୍ରମର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।
ପରେ ବିକ୍ରମ ସେଠାରେ ସପ୍ଟ ଲ୍ୟାଣ୍ଡିଂ କରିବା ବଦଳରେ ହାର୍ଡ ଲ୍ୟାଣ୍ଡି କରିଥିବା ଚନ୍ଦ୍ରାୟନ-୨ ଅର୍ବିଟର ପଠାଇଥିବା ଫଟୋରୁ ଜଣା ପଡିଥିଲା । ସେଠାରେ ବିକ୍ରମ ସାମାନ୍ୟ ଢଳି ରହିଥିବା ଇସ୍ରୋ ସୂଚନା ଦେଇଥିଲା । ତେବେ ନାସାର ଏହି ଫଟୋ ବିକ୍ରମ ସହ ଯୋଗାଯୋଗ କରିବା ପାଇଁ ସାମାନ୍ୟ ସହଜ ହୋଇପାରେ ବୋଲି ଅନୁମାନ କରାଯାଉଛି ।