ଢେଙ୍କାନାଳ ( ଏଟିଆର ବ୍ୟୁରୋ): ନିଜ ହକ ପାଇଁ ଲୋୟର ପିଏମଜିରେ ଶିକ୍ଷକଙ୍କ ମାନଙ୍କ ଧାରଣା ତ ଆପଣ ମାନେ ଅନେକ ସମୟରେ ଦେଖିଥିବେ । ହେଲେ ପିଲାଙ୍କ ଭବିଷ୍ୟତ ପାଇଁ ନୀଜ ଜୀବନକୁ ବାଜି ଲଗାଇ ନଦୀର ଅତଳ ତଳ ପାଣିରେ ନଦୀ ପାର ହେଉଥିବା ଶିକ୍ଷୟତ୍ରୀଙ୍କୁ ଆପଣ ମାନେ ହୁଏତ ଖୁବ କମ ଦେଖିଥିବେ । ତେବେ ଏବେ ଏମିତି ଜଣେ ଶିକ୍ଷୟତ୍ରୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଯିଏ ପିଲାଙ୍କୁ ପାଠ ପଢାଇବା ପାଇଁ ଦୀର୍ଘ ୧୧ ବର୍ଷ ହେଲା ନଦୀ ପହଁରିକି ସ୍କୁଲ ଆସୁଛନ୍ତି । ଢେଙ୍କାନାଳ ଜିଲ୍ଲା ରାୟଠିପାଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ବିନୋଦିିନୀ ଦିଦି ।
୪୯ ବର୍ଷୀୟ ବିନୋଦୀନି ଦିଦି ରାୟଠିପାଳ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାନ୍ତି । ବିନୋଦିନୀଙ୍କୁ ନେଇ ଏବେ ସ୍କୁଲରେ ତିନିଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି । ଦିଦିଙ୍କ ପିଲା ମାନଙ୍କ ପ୍ରତିଥିବା ତ୍ୟାଗ ଓ ଭଲ ପାଇବା ପାଇଁ ଆଜି ଦିଦି ସମସ୍ତଙ୍କ ପ୍ରିୟ ଦିଦି ହୋଇ ପାରିଛନ୍ତି । ୨୦୦୮ ମସିହାରୁ ଗଣଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିବା ବିନୋଦିନୀଙ୍କ ଘର ଜରିଆ ପାଳ ଗାଁ ଠାରୁ ରାୟଠିପାଳ ସ୍କୁଲର ଦୂରତା ୩ କିମି । ଆଉ ଘରଠୁ ସ୍କୁଲ ଭିତରେ ଏହି ଦୂରତା ବେଶି ଅଧିକ ନହୋଇଥିଲେ ମଧ୍ୟ ବାଟରେ ପଡେ ସାପୁଆ ନଦୀ । ଘର ଆଉ ସ୍କୁଲ ମଝିରେ ନାଁ ଅଛି ପୋଲ ନାଁ ଅଛି ଡଙ୍ଗା । ସ୍କୁଲକୁ ଆସିବା ପାଇଁ ହେଲେ ନଦୀରେ ପଶିବା ନିଶ୍ଚିନ୍ତ । ଆଉ ବର୍ଷା ଦିନେ ପାଦେ ପାଦେରେ ଭରି ରହିଥାଏ ବିପଦ । ତଥାପି ଦିଦି ଭୟକୁ ଖାତିର ବର୍ଷା ଖରା ସବୁବେଳେ ନଦୀରେ ପସି ସ୍କୁଲ ଆସୁଛନ୍ତି । ସୁଅ ଯେମିତି ପଡିଥାଉ, ଭ୍ୟାନିଟିକୁ ମୁଣ୍ଡ ଯାଏ ଟେକି ଧରି ବିନି ଦିଦି ଆରପଟେ ଥିବା ସ୍କୁଲ ଯିବାଟା ଥୟ।
ଆଉ ସବୁଠାରୁ ବଡକଥା ଦିଦି ଏନେଇ ପ୍ରତିକ୍ରିୟାରେ କୁହନ୍ତି ପିଲାଙ୍କ ଭବିଷ୍ୟତ ଆଗରେ ଏସବୁ କିଛି ନୁହଁ । ଦିଦିଙ୍କର ଏହି ମହାନତା ଓ ପିଲାମାନଙ୍କ ପ୍ରତି ଥିବା ତ୍ୟାଗ ସବୁ ମହଲରେ ପ୍ରଶଂସିତ ହେଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ଦୀର୍ଘ ୧୧ ବର୍ଷ ହେଲା ଦିଦିଙ୍କର ଏହି ତ୍ୟାଗ କିଭଳି ପ୍ରଶାସନର ନଜରକୁ ଆସିନାହିଁ । ଯଦି ଆସିଛି ତେବେ କାହିଁକି ନିଆ ଯାଉନି ପଦକ୍ଷେପ । ଗ୍ରାମର ଆହୁରି ଅନେକ ଲୋକ ଏମିତି ବର୍ଷ ବର୍ଷ ହେଲା ନଦୀ ପାର ହେଉଛନ୍ତି । ନଦୀ ଉପରେ ପୋଲଟିଏ ପାଇଁ ସ୍ଥାନୀୟ ଲୋକ ଦାବି କରି ଆସୁଥିଲେ ସୁଦ୍ଧା ପ୍ରଶାସନ ଶୋଇଛି ଚିର ନିଦ୍ରାରେ ।